Bipin Singh Thounaojam of Mumbai City FC celebrates after scoring a goal during match 105 of the 7th season of the Hero Indian Super League between Odisha FC and Mumbai City FC held at the GMC Stadium Bambolim, Goa, India on the 24th February 2021 Photo by Faheem Hussain / Sportzpics for ISL
ବାମ୍ବୋଲିମ୍,୨୫।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ୬-୧ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଏହି ମ୍ୟାଚ୍ରେ କିନ୍ତୁ ଓଡ଼ିଶା ପ୍ରଥମ ଗୋଲ ଦେଇ ଅଗ୍ରଣୀ ହାସଲ କରିଥିଲା। ମ୍ୟାଚ୍ର ନବମ ମିନିଟ୍ରେ ପେନାଲ୍ଟି ଜରିଆରେ ଡିଏଗୋ ମୌରେସିଓ ଗୋଲ ଦେଇ ଓଡ଼ିଶାକୁ ୧-୦ରେ ଅଗ୍ରଣୀ କରିଥିଲେ। ତେବେ ଏହାପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମୁମ୍ବାଇ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲା। ମୁମ୍ବାଇ ତରଫରୁ ନାଇଜେରିଆ ଫୁଟ୍ବଲର ବାର୍ଥୋଲେମ୍ୟୁ ଓଗ୍ବେଚେ ୧୩ ଓ ୪୩ତମ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ। ସେହିପରି ବିପିନ ସିଂ ୩୮, ୪୭ ଓ ୮୬ତମ ମିନିଟ୍ରେ ସର୍ବାଧିକ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଜାପାନ ଫୁଟବଲର ସି ଗୋଡାର୍ଡ ୪୪ତମ ମିନିଟ୍ରେ ଗୋଟିଏ ଗୋଲ ଦେଇଥିଲେ। ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ଉପରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା।
ଏହି ବିଜୟ ସହ ମୁମ୍ବାଇ ଏ ପର୍ଯ୍ୟନ୍ତ ୧୯ଟି ମ୍ୟାଚ୍ ଖେଳି ୧୧ଟି ବିଜୟ, ୪ଟି ଲେଖାଏ ଡ୍ର ଓ ପରାଜୟ ସହ ୩୭ ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଏଟିକେ ମୋହନ ବାଗାନ ୧୯ଟି ମ୍ୟାଚ୍ କେଳି ୧୨ ବିଜୟ, ୪ ଡ୍ର ଓ ୩ ପରାଜୟ ସହ ୪୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ସେହିପରି ଓଡ଼ିଶା ୧୯ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଛି। ୬ ଡ୍ର ଓ ୧୨ଟି ପରାଜୟ ସହ ଓଡ଼ିଶା ୯ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ଏକାଦଶ ସ୍ଥାନରେ ରହିଛି। ଏହି ୩ ଦଳ ଲିଗ୍ ପର୍ଯ୍ୟାୟରେ ଆଉ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ।