ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ ଚର୍ଚ୍ଚାରେ ଅଛି। ଏହା ମଧ୍ୟ ଦେଇ ଚାଇନା, ମାଲେସିଆ ଏବଂ ପାକିସ୍ତାନ ଭଳି ଦେଶଗୁଡ଼ିକୁ ଇରାନର ସର୍ତ୍ତ ମାନିବାକୁ ପଡ଼ୁଥିବା ବେଳେ ଭାରତ ନିଜର ଚତୁର କୂଟନୀତି ବଳରେ ବିନା କୌଣସି ସର୍ତ୍ତରେ ନିଜର ମାଲବାହୀ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରି ଆଣିଛି।
ବର୍ତ୍ତମାନର ସ୍ଥିତିରେ ଇରାନ ଏହି ମାର୍ଗ ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ ଦୁଇଟି ମୁଖ୍ୟ ସର୍ତ୍ତ ରଖିଛି। ପ୍ରଥମଟି ହେଉଛି ଏକ ନିର୍ଦ୍ଦିଷ୍ଟ ବାଣିଜ୍ୟିକ ଚୁକ୍ତି (Deal)। ଦ୍ୱିତୀୟଟି ହେଉଛି ଟୋଲ ଟ୍ୟାକ୍ସ ପ୍ରଦାନ। ଚାଇନା ଓ ପାକିସ୍ତାନ ଭଳି ଦେଶ ଏହି ସର୍ତ୍ତ ମାନିବା ପରେ ହିଁ ସେମାନଙ୍କ ଜାହାଜ ଯାତାୟାତ କରିପାରୁଛି। କିନ୍ତୁ ଭାରତ ଏଥିରୁ କୌଣସିଟିକୁ ଗ୍ରହଣ ନ କରି ମଧ୍ୟ ନିଜର ୩ଟି ତେଲ ଓ ଗ୍ୟାସ ବୋଝେଇ ଜାହାଜକୁ ସୁରକ୍ଷିତ ଭାବେ ଆଣିବାରେ ସଫଳ ହୋଇଛି।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଭାରତ ସରକାର ଅତି ସନ୍ତୁଳିତ ଭାବେ ଏହି ସମସ୍ୟାର ସମାଧାନ କରିଛନ୍ତି। ଆୟାତୁଲ୍ଲା ଅଲି ଖାମେନେଇଙ୍କ ସ୍ମୃତିରେ ନୂଆଦିଲ୍ଲୀରେ ଆୟୋଜିତ ଶୋକସଭାରେ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଯୋଗ ଦେଇଥିଲେ, ଯାହା ଇରାନ ସହ ସମ୍ପର୍କକୁ ଅଧିକ ମଜବୁତ କରିଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନିଜ ଇରାନୀ ପ୍ରତିପକ୍ଷଙ୍କ ସହ ପ୍ରାୟ ୩ ଥର ଫୋନରେ କଥା ହୋଇଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଇରାନ ରାଷ୍ଟ୍ରପତି ମସୁଦ ପଜେଶକିଆନଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା ପରେ ଇରାନ ସରକାର ନିଜର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ’କୁ ଭାରତୀୟ ଜାହାଜଗୁଡ଼ିକୁ ‘ସେଫ ପାସେଜ’ ବା ସୁରକ୍ଷିତ ମାର୍ଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ରିପୋର୍ଟ ମୁତାବକ, ଭାରତ ଓ ଇରାନ ମଧ୍ୟରେ ବୁଝାମଣା ସେତେବେଳେ ବଢ଼ିଲା ଯେତେବେଳେ ଭାରତ ଇରାନର ଏକ ନୌସେନା ଜାହାଜକୁ କୋଚି ବନ୍ଦରରେ ରହିବାକୁ ଅନୁମତି ଦେଇଥିଲା।
ସେହି ସମୟରେ ଶ୍ରୀଲଙ୍କା ନିକଟରେ ଇରାନର ଯୁଦ୍ଧଜାହାଜ ‘ଡେନା’କୁ ଆମେରିକା ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଭାରତ ଯଦି କୋଚିରେ ଆଶ୍ରୟ ଦେଇ ନ ଥାନ୍ତା, ତେବେ ଇରାନର ସେହି ଜାହାଜଟି ମଧ୍ୟ ବିପଦରେ ପଡ଼ିଥାନ୍ତା। ଭାରତର ଏହି ସହଯୋଗକୁ ଇରାନ ସମ୍ମାନ ଜଣାଇଥିଲା।
ଏଭଳି ସ୍ଥିତିରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ, ଆମେ ଗୋଟିଏ ପରେ ଗୋଟିଏ ଟ୍ୟାଙ୍କର ଆଣିବା ପାଇଁ ବ୍ୟବସ୍ଥା କରୁଛୁ। ଇରାନ ସହ ଏଥିପାଇଁ କୌଣସି ବିଶେଷ ଚୁକ୍ତି କରାଯାଇ ନାହିଁ।
Dharitri – Odisha’s No.1 Odia Daily