ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍ଆର୍) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରା ରେକର୍ଡ ପରିମାଣରେ କମିଛି। ସରଳ ଭାଷାରେ କହିବାକୁ ଗଲେ ଏକ ଡଲାର ପାଇବାକୁ ହେଲେ ଭାରତୀୟ ମୁଦ୍ରା ପାଖାପାଖି ୯୨ ଟଙ୍କା ଦେବାକୁ ପଡ଼ୁଛି। ସେହିଭଳି ବୈଶ୍ୱିକ ସ୍ଥିତିକୁ ଦେଖିଲେ ଆମେରିକୀୟ ଡଲାର ବିଶ୍ୱର ଅନ୍ୟ ଶକ୍ତିଶାଳୀ ମୁଦ୍ରା ତୁଳନାରେ ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ‘ବାସ୍କେଟ ଅଫ୍ କରେନ୍ସି’ ଭିତରେ ଆମେରିକୀୟ ଡଲାର, ୟୁରୋ, ଜାପାନର ୟେନ୍, ବ୍ରିଟିଶ ପାଉଣ୍ଡ୍, କାନାଡୀୟ ଡଲାର ଓ ସୁଇସ୍ ଫ୍ରାଙ୍କ୍ ରହିଛନ୍ତି। ତେଣୁ ବାସ୍କେଟ ଅଫ୍ କରେନ୍ସିର ଅନ୍ୟ ମୁଦ୍ରା ତୁଳନାରେ ଆମେରିକୀୟ ଡଲାର ହ୍ରାସ ପାଇବା ଅନ୍ତର୍ଜାତୀୟ ଅର୍ଥନୀତିରେ ଆଲୋଚନାର ବିଷୟ ପାଲଟିଛି।
ସାମ୍ପ୍ରତିକ ରିପୋର୍ଟ ଆଧାରରେ ଆମେରିକୀୟ ଡଲାର ଓ ଭାରତୀୟ ମୁଦ୍ରାକୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବିଷୟରେ ଆଲୋକପାତ କରାଯାଇପାରେ। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୯୨ ଯାଏ ପହଞ୍ଚତ୍ବାର ମୁଖ୍ୟ କାରଣ ହେଲା ବିଦେଶୀ ପୁଞ୍ଜିର ବହିର୍ଗମନ। ଭାରତୀୟ ଇକ୍ୟୁଟିରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ) ଯେଉଁ ଅର୍ଥ ଖଟାଇଥିଲେ ତାହାକୁ ଉଠାଇ ନେଉଛନ୍ତି। ଜାନୁଆରୀ ୨୦୨୬ରେ ପ୍ରାୟ ୩.୫ ବିଲିୟନରୁ ୪ ବିଲିୟନ ଡଲାର ବହିର୍ଗମନ ହୋଇଥିବା ଜଣାପଡ଼ିଛି। ସେହିପରି ଭାରତୀୟ ରପ୍ତାନି ସାମଗ୍ରୀ ଉପରେ ଉଚ୍ଚ ଆମେରିକୀୟ ଟାରିଫ୍ ବସାଯିବା ଦ୍ୱାରା ବାଣିଜ୍ୟ ସନ୍ତୁଳନ ପ୍ରଭାବିତ ହୋଇ ମୁଦ୍ରା ଉପରେ ଚାପ ପକାଇଛି। ପୁଣି ଆମଦାନୀକାରୀଙ୍କ (ତୈଳ ବା ଧାତୁ)ଠାରୁ ଡଲାରର ଦୃଢ଼ ଚାହିଦା ମୁଦ୍ରାର ସ୍ଥିତିକୁ ପ୍ରଭାବିତ କରୁଛି। ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଅତ୍ୟଧିକ ଅସ୍ଥିରତାକୁ ରୋକିବା ପାଇଁ ଡଲାର ବିକ୍ରି କରୁଛି, କିନ୍ତୁ ସାମଗ୍ରିକ ହ୍ରାସ ଧାରାକୁ ବଦଳାଇପାରି ନାହିଁ।
ଭାରତୀୟ ମୁଦ୍ରା ତୁଳନାରେ ଡଲାର ମଜଭୁତ ହେଉଥିବା ସତ୍ତ୍ୱେ ଏହା ବିଶ୍ୱବ୍ୟାପୀ ବଜାରରେ ଦୁର୍ବଳତାର ସଙ୍କେତ ଦେଉଛି। ଫେଡେରାଲ ରିଜର୍ଭ ନୀତି, ବିଶ୍ୱବ୍ୟାପୀ ଅସ୍ଥିରତା, ନୀତିରେ ଅନିଶ୍ଚିତତା ଆଦି କାରଣ ଯୋଗୁ ଏଭଳି ଘଟୁଛି। ଆମେରିକାର ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହ୍ରାସ ଯୋଗୁ ଡଲାର ଦୁର୍ବଳ ହେଉଛି। ସେହିପରି ଆମେରିକୀୟ ନୀତି, ସମ୍ଭାବ୍ୟ ବାଣିଜ୍ୟ ଯୁଦ୍ଧ ଓ ଫେଡେରାଲ ବ୍ୟବସ୍ଥାର ସ୍ବାଧୀନତା ନେଇ ପ୍ରଶ୍ନ କରାଯିବା ହେତୁ ଏପରି ସ୍ଥିତି ଉପୁଜିଛି।
ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୦୨୫ରେ ୫.୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ସେହି ଧାରା ଜାରି ରହିଛି। ଡଲାର ବିଶ୍ୱବ୍ୟାପୀ ଶକ୍ତି ହରାଉଥିବା ବେଳେ ଭାରତରୁ ପୁଞ୍ଜି ବହିର୍ଗମନ ଏକ ବିରୋଧାଭାସ ସୃଷ୍ଟି କଲାଭଳି ହୋଇଛି। ଏଭଳି ପରିପ୍ରେକ୍ଷୀରେ କେତେକ ବିଶ୍ଳେଷକଙ୍କ ମତରେ ଯଦି ଆମେରିକା-ଭାରତ ବାଣିଜ୍ୟ ଚୁକ୍ତି ଆଗକୁ ବଢ଼େ, ତେବେ ୨୦୨୬ରେ ଭାରତୀୟ ମୁଦ୍ରାର ପୁନରୁଦ୍ଧାର ସମ୍ଭାବନା ଅଛି। କିନ୍ତୁ ଭାରତୀୟ ବଜାରରୁ ପୁଞ୍ଜି ବାହାର ହେବା ଜାରି ରହିଲେ ତାହା ଚାପ ବଢ଼ାଇଚାଲିବ।