ମହାକାଳପଡ଼ା,୧୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଭାରତୀୟ ବିଭିନ୍ନ ଧାର୍ମିକ ସଂସ୍କୃତି ପରମ୍ପରା ଖୁବ୍ ପ୍ରାଚୀନ କାଳରୁ ରହିଆସିଛି। ପାଶ୍ଚାତ୍ୟ ଧର୍ମ ଭିନ୍ନ ଥିବାବେଳେ ଭାରତୀୟ ଧାର୍ମିକ ସଂସ୍କୃତି ପରମ୍ପରା ସ୍ବତନ୍ତ୍ର ନିଆରା ରହିଛି। ପ୍ରାଚୀନ କାଳରୁ ମୁନି ଋଷିମାନେ ଗୃହ ତ୍ୟାଗ କରି ଆଶ୍ରମ ନିର୍ମାଣ କରି ଧ୍ୟାନ ମଗ୍ନ ରହି ଜୀବନକୁ ଉତ୍ସର୍ଗ ଐଶ୍ୱରିକ ଶକ୍ତିରେ ସିଦ୍ଧି ପ୍ରାପ୍ତ ହୋଇଥିବା କୁହାଯାଇଛି। ଏଭଳି ଜଣେ ମହାନ୍ ବ୍ୟକ୍ତି ଶିକ୍ଷକତା ଜୀବନକୁ ପରିତ୍ୟାଗ କରିବା ସହ ପାରିବାରିକ ସଂସାର ଛାଡ଼ି ଗୃହ ତ୍ୟାଗ କରି ସନ୍ଥ ସନ୍ନାସୀ ବ୍ରତ ଗ୍ରହଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ହେଲେ ଜଗତ୍ସିଂହପୁର ଜିଲାର ମନ୍ଦର ଧର ଦାସ। ୧୯୬୭ରେ ଗୃହ ତ୍ୟାଗ କରି ମହିମା ଗୋସାଇଁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅଲେଖ ମହିମା ଧର୍ମ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଛନ୍ତି। ଗୁରୁ ଅନାଦି ବାବାଙ୍କଠାରୁ ଶିଷ୍ୟତ୍ୱ ଗ୍ରହଣ କରି ଯୋରନ୍ଦାସ୍ଥିତ ମହିମା ଗୋସାଇଁଙ୍କ ପୀଠକୁ ଚାଲି ଯାଇଥିଲେ। ସେଠାରେ କିଛିବର୍ଷ ପରେ କୁମ୍ଭି ପଟ ବଳ୍କଳ ପରିଧାନ କରି ମନ ଚୈତନ୍ୟକୁ ମହିମା ଗୋସାଇଁଙ୍କ ନିକଟରେ ନିଜ ଜୀବନକୁ ସମର୍ପଣ କରିଥିଲେ। ବିଶ୍ୱର ମଙ୍ଗଳ ପାଇଁ ଗଁାକୁ ଗଁା ବୁଲି ଖାଲି ପାଦରେ ନିଜର କେତେଜଣ ପଟ ଶିଷ୍ୟଙ୍କ ସହ ଧର୍ମ ପ୍ରଚାର କରି ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲାର କୋଣ ଅନୁକୋଣରେ ମହିମା ଧର୍ମ ଟୁଙ୍ଗି ନିର୍ମାଣ ଭଜନ ଜଣାଣ କୀର୍ତ୍ତନ ଅଖଣ୍ଡ ଦ୍ୱୀପ ଜାଳିଥାନ୍ତି।
ସନ୍ଥ ମନ୍ଦର ଧର ଦାସ (୮୬) ମହାକାଳପଡ଼ା ବ୍ଲକର ରାମନଗର, ପଲ୍ଲୀଗଡ଼, ହରିଆବାଙ୍କ, ଜଗତି, ବାହାକୁଦ, କେନ୍ତିଆ, ପିତାପାଟ, ବାରଡାଙ୍ଗ, ଛପାଲି, ଓଳପଦା, ବଡ଼ ତୋଟା, ବାହାରସୋବଳା, କୋଚିଳା, ବଜରପୁର, ସରୁମୁହିଁ, ପେଟଛେଲା, ଖରୀନାଶି, ରୋମୀତ ଶୋବଳା, ବରଜ ଅଞ୍ଚଳରେ ଠେଲାଗାଡ଼ିରେ ଶନିବାର ପୂର୍ବାହ୍ନରେ ଗଁାକୁ ଗଁା ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି। ସେହିପରି ନଦୀ ନାଳ ଅଞ୍ଚଳରେ ଡଙ୍ଗା ସାହାଯ୍ୟରେ ପାର ହୁଅନ୍ତି ବୋଲି ଶିଷ୍ୟମାନେ କୁହିଛନ୍ତି। ଗଁାକୁ ଗାଁ ବୁଲି ଧର୍ମ ପ୍ରଚାର ପ୍ରସାର ପାଇଁ ବୟସାଧିକ ଯୋଗୁ ଯାତାୟାତରେ ବାଧା ଉପୁଜିଛି। ଫଳରେ ତାଙ୍କ ଏକାନ୍ତ ଅନୁଗତ ଶିଷ୍ୟମାନେ ଏକ କାଠ ଗାଡ଼ି ସାହାଯ୍ୟରେ ଗୁରୁଙ୍କୁ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଛି। ସନ୍ଥ ମନ୍ଦରଧର ବାବାଙ୍କୁ ପଚାରିବାରେ ଗୁରୁ ଅନାଦି ବାବାଙ୍କଠାରେ ଅଲୌକିକତା ଦିବ୍ୟ ଜ୍ୟୋତି ଦର୍ଶନ ଲାଭ କରିଥିଲେ। ଗୁରୁଙ୍କ ଆଜ୍ଞା ପାଳନ କରିବା ସନ୍ନ୍ୟାସୀ ଜୀବନର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବାବା ମହିମା ଗୋସାଇଁଙ୍କ ଆଜ୍ଞାରେ ଅସମ୍ଭବ କାମକୁ ସମ୍ଭବ କରନ୍ତି। ଲୋକ କଥା ଅନୁସାରେ ୯୦ ଦଶକରେ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ହୋଇଥିଲା। ଚାଷୀମାନଙ୍କ ମଧ୍ୟରେ ହା ହାକାର ପଡ଼ି ଯାଇଥିଲା। ବାବାଙ୍କ ତପ ଓ ଯଜ୍ଞ ବଳରେ ବର୍ଷା କରାଇ ମରୁଡ଼ି ମୁକ୍ତ କରିଥିବା ଉଦାହରଣ ରହିଛି ବୋଲି କୁହାଯାଇଛି।