ସ୍ବପ୍ନରେ ସ୍ତ୍ରୀ ମୋ ରକ୍ତ ପିଉଥିଲେ

ଲକ୍ଷ୍ନୌ,୬।୩ଅଫିସରରେ ବିଳମ୍ବରେ ପହଞ୍ଚତ୍ବା ସମ୍ପର୍କରେ ଜଣେ କନ୍‌ଷ୍ଟେବଲ୍‌ ସ୍ପଷ୍ଟୀକରଣରେ ବିଚିତ୍ର ଉତ୍ତର ଦେଇଛନ୍ତି। ସ୍ବପ୍ନରେ ସ୍ତ୍ରୀ ତାଙ୍କ ରକ୍ତ ପିଉଥିବା କାରଣରୁ ସେ ରାତିରେ ଶୋଇପାରି ନ ଥିଲେ ବୋଲି ଉତ୍ତରପ୍ରଦେଶ ଅର୍ଦ୍ଧସାମରିକ ବାହିନୀ ପ୍ରାଦେଶିକ ସଶସ୍ତ୍ର କନ୍‌ଷ୍ଟେବୁଲାରି (ପିଏସି)ର କନ୍‌ଷ୍ଟେବଲ୍‌ ସ୍ପଷ୍ଟୀକରଣରେ ଲେଖିଛନ୍ତି। ତାଙ୍କର ଏହି ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଭାଗ ପକ୍ଷରୁ ଉକ୍ତ ପତ୍ରର ପ୍ରାମାଣିକତାର ତଦନ୍ତ କରାଯାଇଛି।

ଠିକ୍‌ ସମୟରେ ନ ଆସିବା ଏବଂ କାର୍ଯ୍ୟରେ ଅବହେଳା ପାଇଁ କନ୍‌ଷ୍ଟେବଲ୍‌ଙ୍କୁ ଗତ ମାସ ୧୭ ତାରିଖରେ ନୋଟିସ ଜାରି କରାଯାଇ ସ୍ପଷ୍ଟୀକରଣ ମଗାଯାଇଥିଲା। ପିଏସି ୪୪ତମ ବାଟାଲିୟନ୍‌ର ଜି-ଗାର୍ଡ କମାଣ୍ଡର ମଧୁସୂଦନ ଶର୍ମା ଏହି ନୋଟିସ୍‌କୁ ଶୃଙ୍ଖଳାଗତ ଚେତାବନୀ ଭାବେ ଜାରି କରିଥିଲେ। ପୂର୍ବ ଦିନରୁ ନିର୍ଦ୍ଦେଶ ସତ୍ତ୍ୱେ ସେ କ’ଣ ପାଇଁ ବିଳମ୍ବ କରି ସକାଳ ୯ଟାରେ ପହଞ୍ଚତ୍ଲେ ବୋଲି ପ୍ରଶ୍ନ କରାଯାଇଥିଲା। ପୂର୍ବରୁ ସେ ବହୁ ସମୟରେ ବିଳମ୍ବରେ ଆସୁଥିବା, କାର୍ଯ୍ୟରେ ଅବହେଳା କରିବା ସହ ବିଶୃଙ୍ଖଳିତ ରହୁଥିବା ଏବଂ ନିଶାସକ୍ତ ଜଣାପଡ଼ୁଥିବାରୁ ପିଏସି ଭଳି ବାହିନୀରେ ଏହା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଥିଲା। ଏଥିସହିତ ସେ କ’ଣ ପାଇଁ ଦାଢ଼ି କାଟି ନ ଥିଲେ ଓ ଠିକ୍‌ ଭାବେ ପୋଷାକ ପିନ୍ଧି ନ ଥିଲେ ବୋଲି ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା। କନ୍‌ଷ୍ଟେବଲ୍‌ ତାଙ୍କ ପତ୍ରରେ ବିଚିତ୍ର ଏବଂ ଆବେଗପୂର୍ଣ୍ଣ କାରଣ ଦର୍ଶାଇଛନ୍ତି। ସେ ଲେଖିଛନ୍ତି, ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।

ଏହା ପରେ ସ୍ତ୍ରୀ ତାଙ୍କ ସ୍ବପ୍ନରେ ଆସିଥିଲେ। ସେ ତାଙ୍କ ଛାତି ଉପରେ ବସି ମାରିଦେବା ଉଦ୍ଦେଶ୍ୟରେ ରକ୍ତ ପିଇବାକୁ ଉଦ୍ୟମ କରିଥିଲେ। ଏହି କାରଣରୁ କନ୍‌ଷ୍ଟେବଲ ଭୟରେ ସାରା ରାତି ଶୋଇପାରି ନ ଥିଲେ ଏବଂ ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଆସିବାରେ ବିଫଳ ହୋଇଥିଲେ ବୋଲି ଲେଖିଛନ୍ତି। ସେ ଏବେ ଅବସାଦ ଏବଂ ଚିଡ଼ିଚିଡ଼ାପଣ ଯୋଗୁ ଚିକିତ୍ସାଧୀନ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। କନ୍‌ଷ୍ଟେବଲ୍‌ ପିଏସି ୪୪ତମ ବାଟାଲିୟନ୍‌ର କମାଣ୍ଡରଙ୍କ ପାଖକୁ ଲେଖିଥିବା ଏହି ପତ୍ରକୁ ଅନେକ ଲକ୍ଷ ଲୋକ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି।

Share