ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ

ନୂଆଦିଲ୍ଲୀ,୧୭।୧୦: ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନୀ ଆବଟ୍ ଶୁକ୍ରବାର ୨୦୨୫ରେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ଭାରତର। ଆଗାମୀ ୪୦-୫୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ୱର ନେତା’ର ପଦବୀ ଗ୍ରହଣ କରିପାରନ୍ତି। ସେ ଭାରତକୁ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିଦ୍ୱନ୍ଦ୍ୱୀ ଏବଂ ଅଷ୍ଟ୍ରେଲିଆର ଏକ ଦୃଢ଼ ଓ ବିଶ୍ୱସନୀୟ ଅଂଶୀଦାର ଭାବେ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଛନ୍ତି।

ଆବବଟ୍ କହିଛନ୍ତି, ୨୦୨୨ରେ ଅଷ୍ଟ୍ରେଲିଆ ଓ ଗତ ମାସରେ ବ୍ରିଟେନ ସହିତ ଭାରତର ମୁକ୍ତ ବାଣିଜ୍ୟ ଚୁକ୍ତି ଏକ ସଙ୍କେତ ଯେ ଗଣତାନ୍ତ୍ରିକ ବିଶ୍ୱ ଚାଇନାଠାରୁ ଦୂରେଇ ଯାଉଛି। ସେ ଭାରତ-ଚାଇନା, ପାକିସ୍ତାନ ଓ ଆମେରିକା ସହ ସମ୍ପର୍କର ବିଶ୍ଳେଷଣ କରି କହିଛନ୍ତି, ଚାଇନାର ‘ବିଶ୍ୱ ଆଧିପତ୍ୟ’ ଲକ୍ଷ୍ୟକୁ ନିୟନ୍ତ୍ରଣ କରିବାରେ ଭାରତ ମୁଖ୍ୟ ଭୂମିକା ଗ୍ରହଣ କରିପାରେ।

ଆବଟ୍ କହିଛନ୍ତି, ଭାରତ ହେଉଛି ଚାଇନାର ପ୍ରତିଦ୍ୱନ୍ଦ୍ୱୀ। ଏହା ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଏହାର ବିକାଶ ତ୍ୱରାନ୍ୱିତ ହେଉଛି। ଭାରତର ତିନୋଟି ପ୍ରମୁଖ ସୁବିଧା ହେଉଛି- ଗଣତନ୍ତ୍ର, ଆଇନର ଶାସନ ଓ ଇଂରାଜୀ ଭାଷା, ଯାହା ଏହାକୁ ଅର୍ଥନୈତିକ ଓ ସାମରିକ ଅଗ୍ରଗତି ପାଇଁ ପ୍ରସ୍ତୁତ କରୁଛି।

ୟୁକ୍ରେନ ଯୁଦ୍ଧକୁ ଉଲ୍ଲେଖ କରି ଆବଟ୍ କହିଛନ୍ତି, ଯଦି ୟୁକ୍ରେନ ନାଟୋର ସଦସ୍ୟ ହୋଇଥାନ୍ତା, ତେବେ ରୁଷିଆର ଆକ୍ରମଣ ହୋଇନଥାନ୍ତା। ସେହିପରି, ଆମେରିକାର ରୁଷିଆ ତୈଳ କିଣିବା ପାଇଁ ଭାରତ ଉପରେ ୨୫% ଟାରିଫ ଏକ ଭୁଲ ଥିଲା ବୋଲି ସେ ମତ ଦେଇଛନ୍ତି। ସେ ଆମେରିକାକୁ ପାକିସ୍ତାନ ଅପେକ୍ଷା ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily