ସଙ୍କଟରେ ଭାରତୀୟ ଗଣତନ୍ତ୍ର

ଲଣ୍ଡନ/ନୂଆଦିଲ୍ଲୀ,୪ା୩: ଭାରତର ପାର୍ଲାମେଣ୍ଟ, ପ୍ରେସ୍‌ ଓ ନ୍ୟାୟପାଳିକାକୁ ମୁକ୍ତ ଭାବେ ଚାଲିବାକୁ ଦିଆଯାଉନାହିଁ। ଗଣତନ୍ତ୍ରର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରାଯାଉଛି। ଏଥିଯୋଗୁ ଭାରତୀୟ ଗଣତନ୍ତ୍ର ସଙ୍କଟ ଦେଇ ଗତିକରୁଛି। ଦେଶର ଅନେକ ନେତା ସର୍ଭିଲାନ୍ସରେ ଅଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବିଦେଶରେ ପୁଣି ଟାର୍ଗେଟ କରିଛନ୍ତି। ତାଙ୍କର ଏଭଳି ସମାଲୋଚନାକୁ ଭାଜପା ନେତାମାନେ ହଜମ କରିପାରି ନାହାନ୍ତି। ରାହୁଲ ବାରମ୍ବାର ନିର୍ବାଚନୀ ଝଟ୍‌କା ଖାଇବା ପରେ ବିଦେଶ ମାଟିରେ ଭାରତର ଛବିକୁ ମଳିନ କରିବାକୁ ଉଦ୍ୟମ ଚଳାଇଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି।
ବ୍ରିଟେନ ଗସ୍ତରେ ଥିବା ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀ କେମ୍ବ୍ରିଜ୍‌ ୟୁନିଭର୍ସିଟିର ଜଜ୍‌ ବିଜ୍‌ନେସ୍‌ ସ୍କୁଲରେ ମଙ୍ଗଳବାର ରାତିରେ ଆୟୋଜିତ ‘ଲର୍ନିଂ ଟୁ ଲିଶେନ୍‌ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ ବକ୍ତୃତା କାର୍ଯ୍ୟକ୍ରମରେ ସମ୍ବୋଧନ କରିଥିଲେ। ୫୨ ବର୍ଷୀୟ ରାହୁଲ ଭାରତରେ ବିରୋଧୀ ନେତାମାନଙ୍କ ପ୍ରତି ସରକାରଙ୍କ ଆଚରଣ ଉପରେ ଏମ୍‌ବିଏ ଛାତ୍ରୀଛାତ୍ରଙ୍କୁ କହିଥିଲେ, ଆମ ଉପରେ ଲଗାତର ଭାବେ ଏପରି ଚାପ ପକାଯାଉଛି। ମୋ ବିରୋଧରେ ଅନେକ ଆପରାଧିକ ମାମଲା ରୁଜୁ କରାଯାଇଛି। ଆମେ ଏସବୁର ବିରୋଧ କରୁଛୁ। ଭାରତୀୟ ଗଣତନ୍ତ୍ର ଉପରେ ଚାପ ପଡ଼ୁଥିବାରୁ ଏହା ସଙ୍କଟରେ ରହିଛି। ମୁଁ ଭାରତର ଜଣେ ବିରୋଧୀ ନେତା। ଆମେ ବିରୋଧୀ ଭୂମିକା ନେଉଛୁ। କେତେକ ପ୍ରସଙ୍ଗରେ ଆଲୋଚନା ଦାବି କରି ପାର୍ଲାମେଣ୍ଟ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ବିରୋଧୀ ନେତାମାନଙ୍କୁ ୩-୪ ଥର ଗିରଫ କରାଯାଇଥିତ୍ବା ଦର୍ଶାଇ ରାହୁଲ ଏହାର ଏକ ଫଟୋ ଶେୟାର କରିଛନ୍ତି। ସଂଖ୍ୟାଲଘୁ ଓ ଗଣମାଧ୍ୟମ ଉପରେ କିପରି ଆକ୍ରମଣ ହେଉଛି ତାହା ଆପଣମାନେ ମଧ୍ୟ ଶୁଣିଥିବେ। ସେସବୁକୁ ଅନୁଧ୍ୟାନ କଲେ ଭାରତରେ କ’ଣ ଚାଲିଛି ତାହା ଜାଣିପାରିବେ ବୋଲି ରାହୁଲ କହିଛନ୍ତି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ମାନ ବଢ଼ିଛି। କିନ୍ତୁ ରାହୁଲ ବିଦେଶ ମାଟିରେ ଭାରତକୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଥିରୁ କଂଗ୍ରେସର ଏଜେଣ୍ଡା ବାରି ହୋଇଯାଉଛି।