ନୂଆଦିଲ୍ଲୀ,୫।୫: ଉତ୍ତର ପ୍ରଦେଶର ଆମରୋହା ନିବାସୀ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ। ଇମେଲ ମାଧ୍ୟମରେ ତାଙ୍କୁ ଏହି ଧମକ ମିଳିଛି। ଏନେଇ ଶାମିଙ୍କ ଭାଇ ହସିବ ଆମରୋହା ପୋଲିସ ନିକଟରେ ପହଞ୍ଚିଥିଲେ। ଆମରୋହା ଏସ୍ପି ଅମିତ କୁମାର ଆନନ୍ଦଙ୍କ ନିର୍ଦ୍ଦେଶ ପରେ ସାଇବର ସେଲ୍ରେ ଏହି ମାମଲା ସମ୍ପର୍କରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ତେବେ ଶାମି ରବିବାର ତାଙ୍କ ଇମେଲରେ ରାଜପୁତ ସିନ୍ଧର ନାମକ ଏକ ମେଲ ଆଇଡିରୁ ଏକ ଧମକପୂର୍ଣ୍ଣ ମେସେଜ ପାଇଥିବା ତାଙ୍କ ଭାଇ ପୋଲିସକୁ କହିଛନ୍ତି। ତେବେ ଏହି କଥା ସାମ୍ନାକୁ ଆସିବା ପରେ ଆମରୋହା ସାଇବର ସେଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି।
ଶାମିଙ୍କୁ ମେଲରେ ହତ୍ୟା ଧମକ ଦିଆଯାଇଛି। ଏ ସଂକ୍ରାନ୍ତରେ ପ୍ରଥମେ ମେ’ ୪ରେ ଏକ ଇମେଲ ଆସିଥିଲା। ଏହାପରେ ଦ୍ୱିତୀୟ ଇମେଲ ଆଜି ସକାଳେ ଆସିଥିଲା। ସେଥିରେ ଲେଖାଯାଇଛି ଯେ ଆମେ ତୁମକୁ ହତ୍ୟା କରିବୁ। ସରକାର ଆମର କିଛି କରିପାରିବେ ନାହିଁ ବୋଲି କୁହାଯାଇଛି। କର୍ନାଟକର ରାଜପୁତ ସିନ୍ଧର ନାମକ ମେଲ୍ ଆଇଡିରୁ ମେଲଟି ପଠାଇଛନ୍ତି, ଯେଉଁଥିରେ ୧ କୋଟି ଟଙ୍କା ନ ଦେଲେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ପୋଲିସ ତଦନ୍ତ କରୁଛି।
ବର୍ତ୍ତମାନ ଶାମି ଆଇପିଏଲ୍ ୨୦୨୫ ଟୁର୍ନାମେଣ୍ଟରେ ବ୍ୟସ୍ତ ଅଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସେ ଖେଳୁଛନ୍ତି। ଚଳିତ ଆଇପିଏଲ୍ରେ ହାଇଦ୍ରାବାଦ ଟିମ୍ର ପ୍ରଦର୍ଶନ ସେତେଟା ଭଲ ରହିନାହିଁ। ଏଯାଏ ଦଳ ୧୦ ମ୍ୟାଚ୍ ଖେଳିଥିବା ବେଳେ ୭ ମ୍ୟାଚରେ ପରାଜିତ ହୋଇଛି।