ପ୍ରଥମ ଦିନିକିଆରେ ହାରିବା ପରେ ଅଧିନାୟକ ରାହୁଲ କହିଲେ ‘ ବହୁତ କିଛି…’

ପର୍ଲ,୨୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୩୧ ରନ୍‌ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୪ ଉଇକେଟ ହରାଇ ୨୯୬ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୫୦ ଓଭରରେ ୨୬୫/୮ ରେ ସୀମିତ ରହିଥିଲା। ଏହି ବିଜୟ ଫଳରେ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଅଗ୍ରଣୀ ଲାଭ କରିଛି। ତେବେ ମ୍ୟାଚ୍‌ ହାରିବା ପରେ ଭାରତୀୟ ଅଧିନାୟକ କେ.ଏଲ୍‌. ରାହୁଲ ପ୍ରତିକ୍ରିୟା ରଖି କହିଛନ୍ତି, ବହୁତ କିଛି ଶିଖିବାକୁ ଅଛି। ଆମେ ଭଲ ଆରମ୍ଭ କରିଥିଲୁ। ହେଲେ ମଝିରେ ଆମେ ଉଇକେଟ ନେଇ ପାରିଲୁ ନାହିଁ। ମୁଁ ୨୦ ଓଭର ପରେ କେବେ ବି ବ୍ୟାଟିଂ କରିନାହିଁ। ଏଣୁ ପଡ଼ିଆରେ କି ପରିବର୍ତ୍ତନ ଆସେ ତାହା ଜଣା ନ ଥିଲା। ହେଲେ ବିରାଟ କୋହଲି ଏବଂ ଶିଖର ଧଓ୍ବନ କହିଥିଲେ ଯେ ଏହାପରେ ପିଚ୍‌ ବ୍ୟାଟିଂ ପାଇଁ ଭଲ। ଦୁର୍ଭାଗ୍ୟବଶତଃ ମଧ୍ୟକ୍ରମରେ ଭଲ ଭାଗିଦାରୀ କରି ପାରି ନ ଥିଲୁ ବୋଲି ସେ କହିଛନ୍ତି।