ଭାରତୀୟ ଏୟାରଲାଇନ୍ସ ଉପରେ ପଡୁଛି ସପ୍ତାହକୁ ୭୭ କୋଟି ବୋଝ

ମୁମ୍ବାଇ/ନୂଆଦିଲ୍ଲୀ,୧।୫: ପହଲଗାମ୍‌ ଆକ୍ରମଣ ପରେ ତିକ୍ତତା ବୃଦ୍ଧି ଯୋଗୁ ପାକିସ୍ତାନ ଭାରତୀୟ ଏୟାରଲାଇନ୍ସ ପାଇଁ ନିଜ ବାୟୁସୀମା ବନ୍ଦ କରିଦେଇଛି। ଏଥିଯୋଗୁ ଭାରତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ଅତିରିକ୍ତ ୭୭ କୋଟି ଟଙ୍କାର ବୋଝ ସହିବାକୁ ପଡ଼ିବ ବୋଲି ଏକ ବିଶ୍ଳେଷଣରୁ ଜଣାପଡ଼ିଛି।

ପାକିସ୍ତାନ ଗୁରୁବାରଠାରୁ ନିଜ ବାୟୁସୀମାକୁ ଭାରତ ପାଇଁ ବନ୍ଦ କରିଦେଇଥିବାରୁ ଏଣିକି ଭାରତୀୟ ଏୟାରଲାଇନ୍‌ଗୁଡ଼ିକୁ ରୁଟ୍‌ ପରିବର୍ତ୍ତନ କରି ନିଜ ବିମାନ ଚଳାଇବାକୁ ପଡ଼ିବ। ଅଧିକ ବାୟୁପଥ ଦେଇ ଯାତ୍ରା କଲେ ଇନ୍ଧନ ମଧ୍ୟ ଅଧିକ ଖର୍ଚ୍ଚ ହେବ। ଫଳରେ ମାସକୁ ପୂର୍ବାପେକ୍ଷା ୩୦୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ଦିଲ୍ଲୀ ଓ ଉତ୍ତର ଭାରତୀୟ ସହରଗୁଡ଼ିକରୁ ବିକଳ୍ପ ଆକାଶମାର୍ଗ ଦେଇ ଅନ୍ତର୍ଜାତୀୟ ବିମାନଗୁଡ଼ିକ ଯାତ୍ରା କଲେ ଦେଢ଼ ଘଣ୍ଟା ବିଳମ୍ବିତ ହେବ। ବିମାନ ଚଳାଚଳ ଶିଳ୍ପର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉତ୍ତର ଆମେରିକାକୁ ଯାଉଥିବା ବିମାନକୁ ପୂର୍ବରୁ ୧୬ ଘଣ୍ଟା ଲାଗୁଥିଲା। ଏବେ ଆହୁରି ୧.୫ ଘଣ୍ଟା ଅଧିକ ସମୟ ଲାଗିବ। ଏଥିପାଇଁ ଅତିରିକ୍ତ ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ୟୁରୋପକୁ ଯାଉଥିବା ବିମାନଗୁଡ଼ିକୁ ୯ ଘଣ୍ଟା ଲାଗୁଥିବାବେଳେ ଆହୁରି ଦେଢ଼ଘଣ୍ଟା ବିଳମ୍ବିତ ହେଲେ ଅତିରିକ୍ତ ୨୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ବଢ଼ିବ। ଅନ୍ୟପକ୍ଷରେ ଭାରତ ସରକାର ମଧ୍ୟ ବୁଧବାର ଦେଶର ବାୟୁସୀମା ଦେଇ ପାକିସ୍ତାନୀ ଏୟାରଲାଇନ୍ସଗୁଡ଼ିକର ବିମାନ ଚଳାଚଳ ଉପରେ ରୋକ୍‌ ଲଗାଇଛି।