Categories: Home Leftଖେଳ

୮୨ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ

ରାଜକୋଟ, ୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୨ରେ ପହଞ୍ଚାଇ ବରାବର ସ୍ଥିତିକୁ ଆଣିଛି ଭାରତ। ୦-୨ରେ ପଛୁଆ ଥିବା ଭାରତ କ୍ରମାଗତ ୨ଟି ମ୍ୟାଚ ଜିତି ସିରିଜକୁ ଉଜ୍ଜୀବିତ ରଖିବାରେ ସକ୍ଷମ ହୋଇଛି। ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ ଆସନ୍ତା ରବିବାର ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ।

ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୬୯ ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ୧୬.୫ ଉଇକେଟରେ ମାତ୍ର ୮୭ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଭାରତୀୟ ବୋଲରମାନେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମାପଚୁପ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲିଯାଇଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକ ଟେମ୍ବା ବଭୁମା ୮ ରନ କରି ରିଟାୟର୍ଡ ହର୍ଟ ହୋଇଥିବା ବେଳେ ରସି ଭାନ୍‌ ଡର୍‌ ଡୁସେନ ସର୍ବାଧିକ ୨୦ ରନ କରିବାକୁ ସକ୍ଷମ ହୋଇଥିଲେ। ପୂର୍ବ ୩ଟି ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭାରତୀୟ ଦ୍ରୁତ ବୋଲର ଆଭେଶ୍‌ ଖାଁ ଏଠାରେ ନିଜ ଦମ୍‌ ଦେଖାଇଥିଲେ। ସେ ୪ ଓଭରରେ ମାତ୍ର ୧୮ ରନ ଦେଇ ୪ଟି ଉଇକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ ୨ଟି ଏବଂ ହର୍ଶଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।