Categories: HomeHome Middle

ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

କୋଲକାତା,୧।୩: ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରବିବାର ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ଅନ୍ତିମ ସୁପର-୮ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ଏହି ବିଜୟ ସହ ଭାରତ ସେମିଫାଇନାଲରେ ପହଞ୍ଚିଛି।

ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୪ ଉଇକେଟ ହରାଇ ୧୯୫ ରନ କରିଥିଲା। ୧୯୬ ରନ ବିଜୟ ଲକ୍ଷ୍ୟର ପିଛାକରି ଭାରତ ୧୯.୨ ଓଭରରେ ୫ ଉଇକେଟ ହରାଇ ୧୯୯ ରନ ସଂଗ୍ରହ କରି ନେଇଥିଲା। ମ୍ୟାଚର ହିରୋ ସାବ୍ୟସ୍ତ ହୋଇଥିଲେ ସଞ୍ଜୁ ସାମସନ। ସେ ୫୦ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ ଚୌକା ଓ ୪ ଛକା ସହାୟତାରେ ୯୭ ରନରେ ଅପରାଜିତ ରହିଥିଲେ। ଏଥିସହ ୨୦୦୭ ଓ ୨୦୨୪ରେ ଚାମ୍ପିୟନ ଭାରତ କ୍ରମାଗତ ଦ୍ୱିତୀୟ ଏବଂ ଓଭରଅଲ୍‌ ତୃତୀୟ ଥର ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି କରିଛି। ଅନ୍ୟପକ୍ଷରେ ୨୦୧୨ ଓ ୨୦୧୬ରେ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅଭିଯାନ ଶେଷ ହୋଇଛି।

୪ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ। ସେହିଭଳି ୫ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଏବଂ ଭାରତ ପରସ୍ପରକୁ ଭେଟିବେ। ମ୍ୟାଚ୍‌ ଦେଖିବା ପାଇଁ ଆଇସିସି ମୁଖ୍ୟ ଜୟ ଶାହା, ବିସିସିଆଇ ମୁଖ୍ୟ ମିଥୁନ ମନହାସ, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରମୁଖ ଉପସ୍ଥିତ ଥିଲେ।

Share