ଆଜି ଭାରତ-ଦ. ଆଫ୍ରିକା ଫାଇନାଲ

ନଭି ମୁମ୍ବାଇ,୨ା୧୧(ପି.ଟି.): ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ। ଏହି ହାଇଭୋଲ୍‌ଟେଜ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

ଉଭୟ ଦଳ କଦାପି ବିଶ୍ୱକପ୍‌ ଜିତି ନ ଥିବାରୁ ଏଥର ବିଶ୍ୱକୁ ନୂଆ ମହିଳା ଚାମ୍ପିୟନ ମିଳିବ। ଭାରତ ଏହି ଫାଇନାଲ ଜିତିବାକୁ ସକ୍ଷମ ହେଲେ ହରମନପ୍ରୀତ୍‌ କୌର ପ୍ରଥମ ଭାରତୀୟ ଅଧିନାୟିକା ଭାବେ ବିଶ୍ୱକପ୍‌ ଟ୍ରଫି ଉଠାଇବେ। ତୃତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଦଳ ୨୦୦୫ ଓ ୨୦୧୭ ସଂସ୍କରଣରେ ରନରଅପ୍‌ ହୋଇଥିଲା। ୭ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳ ଖୁବ୍‌ ଆତ୍ମବିଶ୍ୱାସ ସହ ପଡ଼ିଆକୁ ଓହ୍ଲାଇବ। ବ୍ୟାଟିଂ ଫ୍ରେଣ୍ଡ୍‌ଲି ପିଚ୍‌ ଓ ସନ୍ଧ୍ୟାରେ କାକରର ସମ୍ଭାବନା ରହିଥିବାରୁ ଏହା ଏକ ହାଇ ସ୍କୋରିଂ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ସମାନ ଭେନ୍ୟୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲରେ ୩୩୯ ରନର ବିଶାଳ ଟାର୍ଗେଟର ପିଛା କରି ଭାରତୀୟ ମହିଳା ଦଳ ଐତିହାସିକ ବିଜୟ ହାସଲ କରିଥିଲା।

Share