Categories: Home Leftଖେଳ

୪ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

କାନାବେରା,୨୬।୯: ଭାରତୀୟ ମହିଳା ଦଳ ଠାରୁ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ପରାଜୟ ସହ ମହିଳା ଅଷ୍ଟ୍ରେଲିଆ ଦଳର ଅପରାଜେୟ ଧାରାରେ ବ୍ରେକ ଲାଗିଛି। ଲଗାତାର ୨୬ଟି ଦିନିକିଆ ମ୍ୟାଚ୍‌ ଜିତିବା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏହା ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ଦିନିକିଆ ଫର୍ମାଟରେ ସବୁଠୁ ବଡ଼ ବିଜୟ ଧାରା। ଅନ୍ତିମ ଥର ୨୦୧୭ରେ ଅଷ୍ଟ୍ରେଲିଆ ମହିଳା ଦଳ ଦିନିକିଆ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ପରାଜୟ ସତ୍ତ୍ୱେ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୯ ଉଇକେଟ ହରାଇ ୨୬୪ ରନ୍‌ କରିଥିଲା। ଦଳ ପାଇଁ ଆଶଲେ ଗାର୍ଡନର ୬୭, ବେଥ ମୁନି ୫୨ ଓ ତାହିଲା ମ୍ୟାକଗ୍ରାଥ ୪୭ ରନ୍‌ କରିଥିଲେ। ଝୁଲନ ଗୋସ୍ବାମୀ ଓ ପୁଜା ବସ୍ତ୍ରକାର ନେଇଥିଲେ ୩ ଲେଖାଏ ଉଇକେଟ। ଜବାବରେ ଭାରତକୁ ଅର୍ଦ୍ଧଶତକୀୟ ଆରମ୍ଭ ଦେଇଥିଲେ ଶେଫାଳି ବର୍ମା (୫୬) ଓ ସ୍ମ୍ରିତି ମନ୍ଧାନା (୨୨)। ଯଶତିକା ଭାଟିଆ ଖେଳିଥିଲେ ୬୧ ରନ୍‌ର ଅର୍ଦ୍ଧଶତକୀୟ ପାଳି। କିନ୍ତୁ ୨୮ ରନ୍‌ ମଧ୍ୟରେ ୩ ଉଇକେଟ ପଡ଼ିଯିବାରୁ ସଙ୍କଟରେ ପଡ଼ିଯାଇଥିଲା ଟିମ୍‌ ଇଣ୍ଡିଆ। ଶେଷ ଆଡ଼କୁ ଦୀପ୍ତି ଶର୍ମା (୩୧) ଓ ସ୍ନେହ ରାଣା (୩୦) ଦଳକୁ ବିଜୟ ଲକ୍ଷ୍ୟ ପାଖକୁ ନେଇ ଯାଇଥିଲେ। ଫଳରେ ଭାରତ ୪୯.୩ ଓଭରରେ ୨୬୬ ରନ୍‌ କରି ମ୍ୟାଚ୍‌ ନେଇଥିଲା। ବିଜୟ ଲକ୍ଷ୍ୟର ପିଛା କରି ମ୍ୟାଚ୍‌ ଜିତିବାରେ ଏହା ଭାରତୀୟ ମହିଳା ଦଳ ପାଇଁ ସର୍ବଶ୍ରେଷ୍ଠ ବିଜୟ।

Share