ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ

ସିଲ୍‌ହେଟ୍‌ (ବାଂଲାଦେଶ), ୧।୧୦(ପି.ଟି.): ଏସିଆ କପ୍‌ ମହିଳା ଟି୨୦ କ୍ରିକେଟ ଶନିବାରଠାରୁ ଆରମ୍ଭ ହେବ। ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଖେଳାଯିବ। ଗୋଟିଏ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁଥିବା ବେଳେ ଅନ୍ୟଟି ଆୟୋଜକ ବାଂଲାଦେଶ ଓ ଥାଇଲାଣ୍ଡ ମହିଳା ଦଳ ମଧ୍ୟରେ ଖେଳାଯିବ। ନିକଟରେ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଥିବା ଭାରତ ଏବେ ଭଲ ଫର୍ମରେ ରହିଛି। ଭାରତକୁ ଟୁର୍ନାମେଣ୍ଟର ଫେଭରାଇଟ୍‌ ବିବେଚନା କରାଯାଉଛି। ଏସିଆ କପ୍‌ର ଗତ ସଂସ୍କରଣ ଛାଡ଼ିଦେଲେ ୨୦୦୪ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ଅନ୍ୟ ସମସ୍ତ ଟାଇଟଲ ଭାରତ ହାସଲ କରିଛି। ଦଳ ପ୍ରଥମେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୪ଟି ଏବଂ ପରେ ଟି୨୦ ଫର୍ମାଟରେ ଦୁଇଟି ଟାଇଟଲ ଜିତିଛି। ମାଲେସିଆରେ ୨୦୧୮ରେ ଅନୁଷ୍ଠିତ ଗତ ସଂସ୍କରଣ ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।
୭ଟି ଦଳକୁ ନେଇ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟ ଏକ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ। ଅର୍ଥାତ୍‌ ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏ ଭେଟିବେ। ମୋଟ ୬ଟି ଗେମ୍‌ ଖେଳାଯିବ।

Share