ଅକ୍ଟୋବରରୁ କରୋନା ଟିକା ରପ୍ତାନୀ କରିବ ଭାରତ, ଡବ୍ଲ୍ୟୁଏଚ୍‌ଓର ସ୍ବାଗତ…

ଜେନେଭା/ନୂଆଦିଲ୍ଲୀ, ୨୨।୯: ଭାରତ ଅକ୍ଟୋବରରୁ ପୁଣି କରୋନା ଟିକା ରପ୍ତାନୀ କରିବ। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ୍‌ ଅଧୋନୋମ୍‌ ଘେବ୍ରେୟେସସ୍‌ ଭାରତୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଏହାଦ୍ୱାରା ଚଳିତ ବର୍ଷ ଶେଷ ସୁଦ୍ଧା ପୃଥିବୀର ସମସ୍ତ ଦେଶରେ ୪୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ସହଜ ହୋଇ ପାରିବ ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ କହିଛନ୍ତି।

ତେବେ ମନସୁଖ ମାଣ୍ଡବ୍ୟ କହିଛନ୍ତି ଅତିରିକ୍ତ ଟିକାର ରପ୍ତାନୀ କରାଯିବ। ପ୍ରଥମେ ଦେଶରେ ଜାରି ରହିଥିବା ଟିକାରଣ ଅଭିଯାନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇ ପରେ ଅନ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ। ଭାରତ ସରକାରଙ୍କୁ ଅକ୍ଟୋବରରେ କରୋନା ଟିକାର ୩୦ କୋଟିରୁ ଅଧିକ ଡୋଜ୍‌ ମିଳିବାର ଆଶା ରହିଛି।

ସେହିପରି ପରବର୍ତ୍ତୀ ୩ ମାସରେ ୧୦୦ କୋଟିରୁ ଅଧିକ ଡୋଜ୍‌ ମିଳିବ। ଇତିମଧ୍ୟରେ ଦେଶରେ ୮୨ କୋଟିରୁ ଅଧିକ ଲୋକଙ୍କୁ ଟିକାର ଡୋଜ୍‌ ଦିଆ ଯାଇଛି। ଗତ ୧୧ ଦିନ ମଧ୍ୟରେ ୧୦ କୋଟିରୁ ଅଧିକ ଡୋଜ୍‌ ପ୍ରଦାନ କରାଯାଇଛି। ଭାରତ ବସୁଧୈବ କୁଟୁମ୍ବକମ୍‌ ନୀତି ପାଳନ ସହିତ ଅତିରିକ୍ତ ଟିକାର ଡୋଜ୍‌ ରପ୍ତାନୀ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

 

Share