ରୁଷିଆଠାରୁ ଭାରତ ତେଲ କିଣିବ କି ନାହିଁ ହେଲା ସ୍ପଷ୍ଟ, ପୁଣି ଥରେ ଧରାପଡ଼ିଗଲା ଟ୍ରମ୍ପଙ୍କ ମିଛ

ନୂଆଦିଲ୍ଲୀ,୧୬ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରି କହିଛନ୍ତି ଯେ, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ବିଷୟରେ ଆଶ୍ୱାସନା ଦେଇଛନ୍ତି। ଟ୍ରମ୍ପଙ୍କ ବୟାନ ପରେ ତୁରନ୍ତ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସଓ୍ବାଲ ଗୁରୁବାର କହିଛନ୍ତି, ଭାରତ ଏହାର ଲୋକଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ତେଲ ଏବଂ ଗ୍ୟାସ ଆମଦାନୀ କରେ।

ଭାରତୀୟ ଗ୍ରାହକଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଆମର ପ୍ରାଥମିକତା। ଆମର ଆମଦାନୀ ନୀତିଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଏହା ଉପରେ ଆଧାରିତ। ସ୍ଥିର ଶକ୍ତି ମୂଲ୍ୟ ଏବଂ ସୁରକ୍ଷିତ ଯୋଗାଣ ସୁନିଶ୍ଚିତ କରିବା ଆମର ଶକ୍ତି ନୀତିର ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ। ଏଥିପାଇଁ ଆମେ ଆମର ଶକ୍ତି ଉତ୍ସଗୁଡ଼ିକୁ ଆହୁରି ବଢ଼ାଉଛୁ ଏବଂ ବଜାର ଆବଶ୍ୟକତା ସହିତ ଅନେକ ପରିବର୍ତ୍ତନ ବି କରୁଛୁ।

ବୁଧବାର ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଥିଲେ। ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାରତ ଆଉ ରୁଷିଆରୁ ତେଲ କ୍ରୟ କରିବ ନାହିଁ। ଭାରତ ବାରମ୍ବାର ସ୍ପଷ୍ଟ କରିଛି ଯେ, ଏହା ନିଜ ଲୋକଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ରୁଷିଆରୁ ତେଲ କ୍ରୟ ଜାରି ରଖିବ। ବୈଦେଶିକ ମନ୍ତ୍ରଣାଳୟର ଏପରି ସ୍ପଷ୍ଟତା ପରେ ଟ୍ରମ୍ପଙ୍କ ମିଛ ପୁଣି ଥରେ ଧରା ପଡ଼ିଯାଇଛି।

Dharitri – The Largest & Most Trusted Odia Daily

Share