Categories: Home Leftଖେଳ

ପୂଜାରାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ନ ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୬: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳକୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଏହାକୁ ନେଇ ଜୁନ ୨୩ରେ ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଥିଲେ। ଯେଉଁଠାରେ ଦିନିକିଆ ଦଳରେ ଅଧିକ ପରିବର୍ତ୍ତନ ଦେଖାଯାଇ ନ ଥିଲା। ଏଥି ସହିତ, ଚୟନକର୍ତ୍ତାମାନେ ଟେଷ୍ଟ ଦଳରେ କିଛି ବଡ ନିଷ୍ପତ୍ତି ନେଇଛନ୍ତି। ଚୟନକର୍ତ୍ତାମାନେ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାହର କରିଦେଇଛନ୍ତି। ବର୍ତ୍ତମାନ ପୂର୍ବତନ ଭାରତୀୟ ଖେଳାଳି ସୁନୀଲ ଗାଭାସ୍କର ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅନେକ ପୂର୍ବତନ ଖେଳାଳି ଚେତେଶ୍ୱର ପୂଜାରାଙ୍କ ବହିଷ୍କାରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି। ତେବେ ତାଙ୍କର ସମ୍ପ୍ରତି ଫର୍ମ ଅତ୍ୟନ୍ତ ଖରାପ ବୋଲି ଜଣାପଡିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚରେ ମଧ୍ୟ ସେ କିଛି ବିଶେଷ କରିପାରିନଥିଲେ। ଡବ୍ଲୁଟିସି ଫାଇନାଲରେ ପୂଜାରା କେବଳ ୧୪ଏବଂ ୨୭ ରନ ଇନିଂସ ଖେଳିବାରେ ସଫଳ ହୋଇଥିଲେ।

ଟିମ ଇଣ୍ଡିଆର ଏହି ଯାତ୍ରା ପାଇଁ ଦଳ ଚୟନ ଉପରେ ସୁନୀଲ ଗାଭାସ୍କର କହିଛନ୍ତି, କେବଳ ଚେତେଶ୍ୱର ପୂଜାରାଙ୍କୁ ଟିମ ଇଣ୍ଡିଆରୁ ବାହାର କରିଦିଆଯାଇଛି। ସେ ଏଭଳି କ’ଣ ଭୁଲ କରିଛନ୍ତି ଯାହା ବାକି ଖେଳାଳିମାନେ କରିନାହାଁନ୍ତି। ଦଳରୁ ଜଣେ ଖେଳାଳିଙ୍କୁ ବାଦ ଦେବାର ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍‌।