ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ରବିବାର ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।
ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ଥିଲେ ବିରାଟ କୋହଲି। ସେ ନିଜ ଦିନିକିଆ କ୍ୟାରିୟରର ୫୨ତମ ଶତକ ହାସଲ କରି ସର୍ବାଧିକ ଶତକର ରେକର୍ଡ଼କୁ ଆହୁରି ଆଗକୁ ବଢ଼ାଇଛନ୍ତି। ତାଙ୍କ ବ୍ୟତୀତ ରୋହିତ ଶର୍ମା (୫୭) ଏବଂ ଅଧିନାୟକ କେ.ଏଲ୍. ରାହୁଲ (୬୦)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନର ବିଶାଳ ସ୍କୋର କରିଥିଲା।
୩୫୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହର୍ଷିତ ରାଣା ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଭାରତକୁ ବଡ଼ ସଫଳତା ଦେଇଥିଲେ।
କିନ୍ତୁ ମାଥ୍ୟୁ ବ୍ରିଟଜକେ (୭୨), ମାର୍କୋ ଜାନସେନ୍ (୩୯ ବଲରେ ୭୦) ଓ କର୍ବିନ୍ ବୋସ୍ (୬୭)ଙ୍କ ଚମତ୍କାର ଇନିଂସ୍ ଯୋଗୁଁ ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା। ତଥାପି, ଦଳ ୩୩୨ ରନରେ ଅଲଆଉଟ୍ ହୋଇଯାଇଥିଲା।
ଭାରତୀୟ ସ୍ପିନର କୁଲଦୀପ ଯାଦବ ଘାତକ ବୋଲିଂ କରି ୪ଟି ୱିକେଟ୍ ନେଇଥିଲେ। ଗୋଟିଏ ଓଭରରେ ସେ ଜାନସେନ୍ ଓ ବ୍ରିଟଜକେଙ୍କୁ ଆଉଟ୍ କରି ମ୍ୟାଚ୍ର ମୋଡ଼ ବଦଳାଇ ଦେଇଥିଲେ। ହର୍ଷିତ ରାଣା ଓ ଅର୍ଶଦୀପ ସିଂହ ମଧ୍ୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।