କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର ରୋମାଞ୍ଚ ପୂର୍ବରୁ ଏଠାରେ ‘ସାପ’କୁ ନେଇ ଆତଙ୍କ ଦେଖାଦେଇଛି। ପୁଣିଥରେ ଷ୍ଟାଡିୟମରେ ଏକ ବିଷଧର ସାପ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି।
ଫେବୃଆରୀ ୧୪ ତାରିଖରେ ପାକିସ୍ତାନୀ ଦଳ ଅଭ୍ୟାସ ପାଇଁ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ଠିକ ସେମାନଙ୍କ ଡଗଆଉଟ୍ (ଖେଳାଳି ବସିବା ସ୍ଥାନ) ପାଖରେ ଏକ ବଡ଼ ସାପ ଦେଖାଯାଇଥିଲା। ସାପଟି ବେଶ ବିଷଧର ଜଣାପଡୁଥିଲା। ସୌଭାଗ୍ୟବଶତଃ, ଖେଳାଳିମାନେ ପହଞ୍ଚିବା ପୂର୍ବରୁ ସୁରକ୍ଷାକର୍ମୀ ଓ ଗ୍ରାଉଣ୍ଡ ଷ୍ଟାଫ ସାପଟିକୁ ଦେଖି ଦେଇଥିଲେ ଏବଂ ଅତି ସାବଧାନତାର ସହ ତାକୁ ଧରି ବାହାରକୁ ନେଇଯାଇଥିଲେ। ଯଦି ସାପଟି କେଉଁଠି ଲୁଚି ରହିଥାନ୍ତା, ତେବେ ମ୍ୟାଚ ସମୟରେ ଖେଳାଳିଙ୍କ ପାଇଁ ବଡ଼ ବିପଦ ସୃଷ୍ଟି ହୋଇଥାନ୍ତା।
ପ୍ରେମଦାସା ଷ୍ଟାଡିୟମରେ ସାପ ବାହାରିବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ସାପ ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି। ଗତ ଜୁଲାଇ ୩ରେ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଦିନିକିଆ ମ୍ୟାଚ ଚାଲିଥିବା ବେଳେ ବାଂଲାଦେଶ ଇନିଂସର ତୃତୀୟ ଓଭରରେ ଏକ ବଡ଼ ସାପ ପଡ଼ିଆ ଭିତରକୁ ପଶି ଆସିଥିଲା, ଯାହା ଫଳରେ କିଛି ସମୟ ପାଇଁ ମ୍ୟାଚ ବନ୍ଦ ରହିଥିଲା। ଲଙ୍କା ପ୍ରିମିୟର ଲିଗ (LPL) ୨୦୨୪ରେ ଅନେକ ଥର ସାପ ଷ୍ଟାଡିୟମରେ ପ୍ରବେଶ କରିଥିବାର ଦେଖାଯାଇଥିଲା।
ଏହି ଷ୍ଟାଡିୟମ ଚାରିପାଖରେ ଅଧିକ ବୁଦା ଏବଂ ଜଳାଶୟ ଥିବାରୁ ଏଠାରେ ପ୍ରାୟତଃ ସାପ ଦେଖାଯାନ୍ତି। ଗ୍ରାଉଣ୍ଡ ଷ୍ଟାଫ୍ମାନେ ସବୁବେଳେ ସଜାଗ ରହିଥିଲେ ମଧ୍ୟ ସାପମାନେ ପଡ଼ିଆ ଭିତରକୁ ପଶି ଆସିବା ଆୟୋଜକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି।