India vs New Zealand:ଫାଇନାଲରେ ଭାରତର ବିଶାଳ ସ୍କୋର, ନ୍ୟୁଜିଲାଣ୍ଡକୁ ଟାର୍ଗେଟ ମିଳିଲା…

ଅହମ୍ମଦାବାଦ,୮।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ୨୦୨୬ର ଫାଇନାଲ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତୀୟ ଟିମ୍‌ ୨୦ ଓଭରରେ ୨୫୫ରନ୍‌ର ବିଶାଳ ସ୍କୋର କରିଛି। ଫଳରେ ବିରୋଧୀ ଟିମ୍‌କୁ ୨୫୬ ରନ୍‌ର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ହେଲେ ଅର୍ଦ୍ଧଶତକ ପରେ ଅଭିଷେକଙ୍କ ଉଇକେଟ ଯିବା ପରେ ଏହି ଯୋଡ଼ି ଭାଙ୍ଗି ଯାଇଥିଲା। ପରେ ସାମସନଙ୍କ ସହ ଇଶାନ କିଷନ ମଧ୍ୟ ଜବରଦସ୍ତ ଭାଗିଦାରୀ କରି ଦଳର ସ୍କୋରକୁ ଆଗକୁ ନେଇଥିଲେ। ପରେ ୮୯ ରନ୍‌ରେ ପୁଣି ଥରେ ନିଜ ଉଇକେଟ ହରାଇଥିଲେ ସାମସନ। ଫଳରେ ଭାରତର ସ୍କୋର ଉପରେ ଏହାର ପ୍ରଭାବ ପଡ଼ିଥିଲା। ୧୬ତମ ଓଭରରେ ଦଳ ୩ ଉଇକେଟ ହରାଇଥିଲା। ଶେଷରେ ତିଳକ ବର୍ମା ଏବଂ ଶିବମ ଦୁବେ ଶେଷ ଓଭରରେ ପୁଣିଥରେ ଚୌକା ଏବଂ ଛକା ମାରି ସ୍କୋରକୁ ୨୫୫ରେ ପହଞ୍ଚାଇଥିଲେ। ଏହା ବିଶ୍ୱକପ୍‌ରେ ସର୍ବକାଳୀନ ତୃତୀୟ ବଡ଼ ସ୍କୋର।

କହିରଖୁଛୁ, ଭାରତୀୟ ଦଳ ଟି୨୦ ବିଶ୍ୱକପ ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ପୂର୍ବରୁ ଖେଳିଥିବା ୩ଟି ଫାଇନାଲ ମଧ୍ୟରୁ ଭାରତ ୨୦୦୭ ଏବଂ ୨୦୨୪ରେ ଚାମ୍ପିଅନ ହୋଇସାରିଛି। ଆଜିର ମ୍ୟାଚ ଜିତିଲେ ଭାରତ ତୃତୀୟ ଥର ପାଇଁ ଟ୍ରଫି ହାତେଇବ। ଅପରପକ୍ଷେ ନ୍ୟୁଜିଲ୍ୟାଣ୍ଡ ପାଇଁ ଏହା ଦ୍ୱିତୀୟ ଫାଇନାଲ। ୨୦୨୧ରେ ଦଳ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ରନର୍ସଅପ ହୋଇ ସନ୍ତୁଷ୍ଟ ହୋଇଥିଲା।

Dharitri – Odisha’s No.1 Odia Daily

Share