Categories: Home Middleଖେଳ

India vs New Zealand 1st ODI: ଭାରତ ଆଗରେ ୩୦୧ ରନ୍‌ର ଟାର୍ଗେଟ୍

ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଛି।

ନ୍ୟୁଜିଲାଣ୍ଡ ଦଳ ଏକ ଶକ୍ତିଶାଳୀ ଆରମ୍ଭ କରିଥିଲା। ଓପନର୍ ଡେଭନ କନୱେ (୫୬) ଏବଂ ହେନେରି ନିକୋଲ୍ସ (୬୨) ପ୍ରଥମ ୱିକେଟ୍ ପାଇଁ ୧୧୭ ରନ୍‌ର ଭାଗିଦାରୀ କରିଥିଲେ। ତେବେ ମଧ୍ୟକ୍ରମରେ ୱିକେଟ୍ ପତନ ହେବା ପରେ ଡାରିଲ୍ ମିଚେଲ୍ ୭୧ ବଲ୍‌ରୁ ୮୪ ରନ୍ (୫ ଚୌକା ଓ ୩ ଛକା) କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶେଷ ଆଡ଼କୁ କ୍ରିଷ୍ଟିଆନ୍ କ୍ଲାର୍କ ୨୪ ରନ୍ କରି ଦଳୀୟ ସ୍କୋରକୁ ୩୦୦ରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।

ଭାରତୀୟ ପେସର୍‌ମାନେ ପ୍ରାରମ୍ଭରେ ପ୍ରଭାବହୀନ ରହିଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ମହମ୍ମଦ ସିରାଜ ୧୦ ଓଭରରେ ୪୦ ରନ୍ ଦେଇ ୨ଟି ସଫଳତା ପାଇଥିଲେ। ହର୍ଷିତ ରାଣା ନ୍ୟୁଜିଲାଣ୍ଡର ଦୁଇ ଓପନର୍‌ଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ଶେଷ ଓଭରରେ ଡାରିଲ୍ ମିଚେଲ୍‌ଙ୍କୁ ଆଉଟ୍ କରିବା ସହ ୨ଟି ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ୧୦ ଓଭରରେ ୫୨ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ।

ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ର ଦୁଇ ଦିଗ୍ଗଜ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମ୍ୟାଚ୍ ମଝିରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିରାଟ କୋହଲି ଆଜି ନିଜର ୩୦୯ତମ ଦିନିକିଆ ଖେଳି ସୌରଭ ଗାଙ୍ଗୁଲିଙ୍କୁ ଅତିକ୍ରମ କରିଛନ୍ତି।