ନୂଆଦିଲ୍ଲୀ,୧୨।୨: ଟି୨୦ ବିଶ୍ୱକପ ୨୦୨୬ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍-ଏ ମ୍ୟାଚରେ ଗୁରୁବାର ଭାରତ ଓ ନାମିବିଆ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନାମିବିଆ ଅଧିନାୟକ ଗେରାର୍ଡ ଏରାସମସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରିବ।
ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଚିନ୍ତାଜନକ ଖବର ହେଉଛି ଓପନର୍ ଅଭିଷେକ ଶର୍ମାଙ୍କ ଅନୁପସ୍ଥିତି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି ଯେ, ଅଭିଷେକ ଏବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ଏବଂ ସେ ଆଗାମୀ ଏକ କିମ୍ବା ଦୁଇଟି ମ୍ୟାଚ୍ ଖେଳିନପାରନ୍ତି। ତାଙ୍କ ସ୍ଥାନରେ ବିସ୍ଫୋରକ ବ୍ୟାଟର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।
ନାମିବିଆ ବିପକ୍ଷ ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ସଞ୍ଜୁ ସାମସନ ଅଭିଷେକ ଶର୍ମାଙ୍କ ବଦଳରେ ସୁଯୋଗ ପାଇଛନ୍ତି। ଜସପ୍ରୀତ ବୁମ୍ରା ମହମ୍ମଦ ସିରାଜଙ୍କ ସ୍ଥାନରେ ଷ୍ଟାର୍ ପେସର ବୁମ୍ରା ଦଳକୁ ଫେରିଛନ୍ତି।
ଟସ୍ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, “ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ, ତେଣୁ ଆମେ ଖୁସି। ସନ୍ଧ୍ୟାରେ କାକର ଏକ ବଡ଼ ଭୂମିକା ଗ୍ରହଣ କରିବ, କିନ୍ତୁ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ।”
ଭାରତ: ସଞ୍ଜୁ ସାମସନ, ଇଶାନ କିଷାନ (ଉଇକେଟ ରକ୍ଷକ), ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା ।
ନାମିବିଆ: ଲୋରେନ ଷ୍ଟିନକାମ୍ପ, ଜାନ ଫ୍ରାଇଲିଙ୍କ, ଜେ.ଏନ. ଲଫ୍ଟି-ଇଟନ, ଗେରାର୍ଡ ଏରାସମସ (ଅଧିନାୟକ), ଜେ.ଜେ. ସ୍ମିଟ୍, ଜେନ ଗ୍ରୀନ (ଉଇକେଟ ରକ୍ଷକ), ରୁବେନ ଟ୍ରମ୍ପେଲମ୍ୟାନ, ମାଲାନ କ୍ରୁଗର, ବର୍ଣ୍ଣାଡ ସ୍କୋଲ୍ଟଜ, ବେନ ସିକୋଙ୍ଗୋ, ମ୍ୟାକ୍ସ ହେଙ୍ଗୋ ।