Categories: Home Middleଖେଳ

ନାମିବିଆକୁ ଧୂଳି ଚଟାଇଲା ଭାରତ: ୯୩ ରନରେ ଐତିହାସିକ ବିଜୟ ସହ ରଚିଲା ନୂଆ ରେକର୍ଡ

ନୂଆଦିଲ୍ଲୀ,୧୨।୨: ଟି୨୦ ବିଶ୍ୱକପ ୨୦୨୬ରେ ଭାରତୀୟ ଦଳ ନିଜର ଦବଦବା ବଜାୟ ରଖିଛି। ଗୁରୁବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍-ଏ ମ୍ୟାଚରେ ଭାରତ ନାମିବିଆକୁ ୯୩ ରନର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଟି୨୦ ବିଶ୍ୱକପ ଇତିହାସରେ ରନ୍ ହିସାବରେ ଏହା ଭାରତର ସର୍ବବୃହତ ବିଜୟ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ସଫଳତା ପାଇଛି।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଥିଲା। ଇଶାନ ମାତ୍ର ୨୪ ବଲରୁ ୬୧ ରନର ଏକ ଧୂଆଁଧାର ପାଳି ଖେଳିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲରୁ ୫୨ ରନ୍ କରି ଭାରତକୁ ୨୦୦ ଅତିକ୍ରମ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରାରମ୍ଭରେ ସଞ୍ଜୁ ସାମସନ ୮ ବଲରୁ ୨୨ ରନ୍ କରି ଆଉଟ୍ ହୋଇଥିଲେ।

୨୧୦ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନାମିବିଆ ଦଳ ମାତ୍ର ୧୧୬ ରନରେ ଅଲ୍-ଆଉଟ୍ ହୋଇଯାଇଥିଲା। ବ୍ୟାଟିଂ ପରେ ବୋଲିଂରେ ମଧ୍ୟ ହାର୍ଦ୍ଦିକ ନିଜର ଜଲୱା ଦେଖାଇ ୨୧ ରନ୍ ଦେଇ ୨ଟି ୱିକେଟ ନେଇଥିଲେ। ସେ ମ୍ୟାଚରେ ହାଟ୍ରିକ୍ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇନଥିଲେ। ନାମିବିଆର ମଧ୍ୟକ୍ରମକୁ ଧ୍ୱସ୍ତ କରି ବରୁଣ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ। ଶେଷରେ ଜେନ୍ ଗ୍ରୀନ୍ ଶିବମ ଦୁବେଙ୍କ ବଲରେ ରିଭର୍ସ ସୁଇପ୍ ଖେଳିବାକୁ ଯାଇ ‘ହିଟ୍-ୱିକେଟ୍’ ହେବା ସହ ନାମିବିଆର ପରାଜୟ ସୁନିଶ୍ଚିତ ହୋଇଥିଲା।

ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ବିଜୟ ପଞ୍ଜିକୃତ କରିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଛି। ଭାରତ ଏବେ ନିଜର ପରବର୍ତ୍ତୀ ହାଇ-ଭୋଲଟେଜ୍ ମ୍ୟାଚରେ ପାକିସ୍ତାନର ସାମ୍ନା କରିବ।

Share