ଇଂଲଣ୍ଡ ଭଳି ବେହାଲ ହେଲା ଭାରତ: ରୁଟ୍‌ଙ୍କ ଦମ୍‌ଦାର ବୋଲିଂ ଯୋଗୁ ୧୪୫ରେ ଅଲଆଉଟ୍‌

ନୂଆଦିଲ୍ଲୀ,୨୫।୨: ଭାରତ-ଇଂଲଣ୍ଡ ମଧ୍ୟରେ ଗୁରୁବାର ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଜାରି ରହିଛି। ଇଂଲଣ୍ଡ ପ୍ରଥମ ପାଳିରେ ୧୧୨ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ପରେ ଜୋ ରୁଟ୍‌ଙ୍କ ଉଲ୍ଲେଖନୀୟ ବୋଲିଂ ଯୋଗୁ ଭାରତୀୟ ଦଳ ୧୪୫ରେ ସମସ୍ତ ଉଇକେଟ ହରାଇଛି। ପ୍ରଥମ ପାଳି ଆଧାରରେ ଦଳ ଇଂଲଣ୍ଡଠାରୁ ୩୩ରନ୍‌ରେ ଆଗୁଆ ରହିଛି।

ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୯୯/୩ରୁ ଖେଳ ଆରମ୍ଭ କରିଥିଲା। ଏହାପରେ ସ୍ପିନର ଜ୍ୟାକ୍‌ ଲିଚ୍‌ ଦଳକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ସେ ପ୍ରଥମେ ଅଜିଙ୍କ୍ୟ ରାହାନେ(୭)ଙ୍କ ଉଇକେଟ ନେଇଥିଲେ। ଏହାପରେ ସେ ଫର୍ମରେ ଥିବା ରୋହିତ ଶର୍ମା(୬୬)ରେ ଏଲ୍‌ବିଡବ୍ଲୁ କରିଥିଲେ। ରୁଟ୍‌ ରିଷଭ ପନ୍ତ(୧)ଙ୍କୁ ଆଉଟ୍‌ କରିଥିଲେ। ପରେ ସେ ଓ୍ବାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ। ସେହିଭଳି ରବିଚନ୍ଦ୍ରନ ଅଶ୍ୱିନ(୧୭)ଙ୍କୁ କ୍ୟାଚ୍‌ ଆଉଟ୍‌ କରି ମ୍ୟାଚ୍‌ରେ ନିଜର ୪ର୍ଥ ଉଇକେଟ ନେଇଥିଲେ। ଏହାପରେ ସେ ଜସପ୍ରିତ ବୁମ୍‌ରାହଙ୍କ ଉଇକେଟ ନେଇ ଭାରତୀୟ ପାଳି ଶେଷ କରିଥିଲେ। ଏହା ତାଙ୍କର ୫ମ ଉଇକେଟ ଥିଲା।

ପୂର୍ବରୁ ଇଂଲଣ୍ଡ ଟିମ୍‌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ପ୍ରଥମ ପାଳିରେ ଦଳ ମାତ୍ର ୧୧୨ ରନ୍‌ କରିବାରେ ସଫଳ ହୋଇଥିଲା। ଭାରତୀୟ ବୋଲର୍‌ ଅକ୍ଷର ପଟେଲ ସର୍ବାଧିକ ୬ ଉଇକେଟ ନେଇଥିଲେ।