Categories: Home Leftଖେଳ

ନଟରାଜନଙ୍କୁ ମିଳିପାରେ ଟେଷ୍ଟ ପଦାର୍ପଣ ସୁଯୋଗ

ସିଡ୍‌ନୀ,୩୦ା୧୨- ଚଳିତ ଅଷ୍ଟ୍ରେଲିଆ ସିରିଜ୍‌ରେ ଦିନିକିଆ ଓ ଟି୨୦ ଫର୍ମାଟରେ ପଦାର୍ପଣ କରିଥିବା ତାମିଲନାଡୁର ଉଦୀୟମାନ ପେସର ଟି. ନଟରାଜନଙ୍କୁ ଏବେ ଟେଷ୍ଟ ଫର୍ମାଟରେ ମଧ୍ୟ ସୁଯୋଗ ମିଳିପାରେ। ସିଡ୍‌ନୀଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟରେ ସେ ଟେଷ୍ଟ ପଦାର୍ପଣ କରିପାରନ୍ତି। ମେଲବୋର୍ନଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଭାରତୀୟ ଦଳ ୮ ଉଇକେଟରେ ଜିତି ନେଇଛି। ଫଳରେ ଏବେ ୧-୧ର ବରାବର ସ୍ଥିତିରେ ରହିଛି ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌।

୨୯ ବର୍ଷୀୟ ପେସର ଦିନିକିଆ ପଦାର୍ପଣରେ ୨ ଉଇକେଟ ନେଇଥିବାବେଳେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଅର୍ଜନ କରିଥିଲେ ୬ ଉଇକେଟ। ତାଙ୍କୁ ଆହତ ପେସର ଉମେଶ ଯାଦବଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଉଲ୍ଲେଖଥାଉ କି, ବକ୍ସିଂ ଡେ’ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୩.୩ ଓଭର ବୋଲିଂ କରିବା ପରେ ଉମେଶଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ଏହି ଆହତ ସମସ୍ୟା ଯୋଗୁ ସେ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି।

ଚୟନକର୍ତ୍ତାମାନେ ମହମ୍ମଦ ଶାମିଙ୍କ ବଦଳରେ ଶାର୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରିଛନ୍ତି। ହେଲେ ଯଶପ୍ରୀତ ବୁମରା ଓ ନବଦୀପ ସାଇନିଙ୍କ ସହ ନଟରାଜନଙ୍କୁ ପ୍ରଥମିକତା ଦିଆଯାଇପାରେ। ଅନ୍ୟପଟେ କ୍ୱାରାଣ୍ଟିନ ସମୟ ଶେଷ କରିସାରିଥିବା ରୋହିତ ଶର୍ମା ଓ ଟେଷ୍ଟ ସିରିଜ୍‌ରେ ଏପର୍ଯ୍ୟନ୍ତ ଖେଳି ନ ଥିବା ଲୋକେଶ ରାହୁଲ ମଧ୍ୟ ସୁଯୋଗ ପାଇପାରନ୍ତି। ଯଦି ଏଭଳି ହୁଏ, ତେବେ ଫର୍ମରେ ନ ଥିବା ମୟଙ୍କ ଅଗ୍ରଓ୍ବାଲ ଓ ହନୁମା ବିହାରିଙ୍କୁ ତୃତୀୟ ଟେଷ୍ଟରୁ ବିଶ୍ରାମ ଦିଆଯିବ।