ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ସିଡନୀ,୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜ୍‌ର ତୃତୀୟ ମ୍ୟାଚ ସିଡନୀରେ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୩.୩ ଓଭରରେ ଓପନର୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉଇକେଟ୍‌ ହରାଇଥିଲା। ତେବେ ବର୍ଷା ଆରମ୍ଭ ହୋଇଯିବାରୁ ମାତ୍ର ୭.୧ ଓଭର ପରେ ଖେଳ ବନ୍ଦ ରହିଛି। ଖେଳ ବନ୍ଦ ହେବା ବେଳକୁ ଦଳ ୨୧ ରନ୍‌ରେ ଗୋଟିଏ ଉଇକେଟ୍‌ ହରାଇଛି। ସିଡନୀ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ରେ ଦୁଇଟି ପରିବର୍ତ୍ତନ ହୋଇଛି। ମୟଙ୍କ ଅଗ୍ରୱାଲଙ୍କୁ ବାଦ ଦିଆଯାଇ ରୋହିତ ଶର୍ମାଙ୍କୁ ଟିମ୍‌ରେ ସାମିଲ କରାଯାଇଛି। ସେହିପରି ନବଦୀପ ସଇନି ଟେଷ୍ଟ ପଦାର୍ପଣ କରିଛନ୍ତି। ଆହତ ଉମେଶ ଯାଦବଙ୍କ ସ୍ଥାନରେ ତାଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ୪ଟି ମ୍ୟାଚ ବିଶିଷ୍ଟ ଏହି ସିରଜ୍‌ ୧-୧ରେ ବରାବର ରହିଛି।