ନୂଆଦିଲ୍ଲୀ,୪।୯: କ୍ରିକେଟରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉଜଣେ ଭାରତୀୟ ଖେଳାଳି। ସେ ହେଲେ ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା। ଫଳରେ ୨୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।
ଏନେଇ ମିଶ୍ରା କହିଛନ୍ତି ଯେ ବାରମ୍ବାର ଆଘାତ ଏବଂ ଯୁବ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାର ଇଚ୍ଛା ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ପ୍ରେରିତ କରିଛି। ମିଶ୍ରା ଭାରତ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି ଏବଂ ତିନି ପ୍ରକାରରେ ମୋଟ ୧୫୬ଟି ଉଇକେଟ ହାସଲ କରିଛନ୍ତି।
ଅମିତ ମିଶ୍ରା ଏକ ବିବୃତିରେ କହିଛନ୍ତି, “କ୍ରିକେଟରେ ମୋ ଜୀବନର ଏହି ୨୫ ବର୍ଷ ଅବିସ୍ମରଣୀୟ ରହିବ। ମୁଁ
ବିସିସିଆଇ, ପ୍ରଶାସନ, ହରିୟାଣା କ୍ରିକେଟ ସଂଘ, ସହାୟକ କର୍ମଚାରୀ, ମୋର ସହଖେଳାଳି ଏବଂ ମୋ ପରିବାର ସଦସ୍ୟମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି, ଯେଉଁମାନେ ଏହି ସମଗ୍ର ଯାତ୍ରାରେ ମୋ ସାଙ୍ଗରେ ରହିଥିଲେ।” ସେ ଆହୁରୀ କହିଛନ୍ତି, “ମୁଁ ସେହି ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହେଁ, ଯାହାଙ୍କ ସ୍ନେହ ଓ ସମର୍ଥନ ମୋ ଖେଳ ସମୟରେ ଏହି ଯାତ୍ରାକୁ ଅବିସ୍ମରଣୀୟ କରିଦେଇଛି। କ୍ରିକେଟ ମୋତେ ଅସଂଖ୍ୟ ସ୍ମୃତି ଓ ଅମୂଲ୍ୟ ଶିକ୍ଷା ଦେଇଛି, ଏବଂ ମଇଦାନରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଏକ ସ୍ମୃତି ଯାହାକୁ ମୁଁ ସାରାଜୀବନ ସଞ୍ଚୟ କରି ରଖିବି।”
ଏହି ଘୋଷଣା ସହିତ ଭାରତୀୟ କ୍ରିକେଟର ଏକ ଯୁଗର ଅନ୍ତ ହୋଇଛି। ମିଶ୍ରା ତାଙ୍କର ଚମତ୍କାର ବୋଲିଂ ବିଭିନ୍ନତା ପାଇଁ ଜଣାଶୁଣା ଥିଲେ। ସେ ଘରୋଇ କ୍ରିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ହରିୟାଣା ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏବଂ ସର୍ବଦା ଯୁବ ବୋଲରମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିଲେ।