ଭାରତ-ଆମେରିକା ଟ୍ରେଡ୍‌ ଡିଲ୍‌: ଟାରିଫ୍‌ ଦ୍ୱନ୍ଦ୍ୱ, ଆଲୋଚନା ସ୍ଥଗିତ

ନୂଆଦିଲ୍ଲୀ/ ଓ୍ବାଶିଂଟନ୍‌, ୨୩ା୨ (ରଏଟର୍ସ/ଏଜେନ୍ସି):ଭାରତ ଓ ଆମେରିକା ମଧ୍ୟରେ ଓ୍ବାଶିଂଟନ୍‌ରେ ସୋମବାରଠାରୁ ୩ ଦିନ ଧରି ଅନ୍ତରୀଣ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆଲୋଚନା କରାଯିବା ନେଇ ପୂର୍ବରୁ ସ୍ଥିର କରାଯାଇଥିଲା। ଉକ୍ତ ବୈଠକରେ ଯୋଗଦେବା ପାଇଁ ଭାରତରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆମେରିକା ଗସ୍ତ କରିବା ପାଇଁ ରବିବାର ବାହାରିଥିଲା। ବୈଠକରେ ଭାରତ ପକ୍ଷରୁ ଚିଫ୍‌ ନେଗୋସିଏଟର ଦର୍ପନ ଜୈନ୍‌ ନେତୃତ୍ୱ ନେଉଥିବାବେଳେ ଆମେରିକା ବାଣିଜ୍ୟ ପ୍ରତିନିଧି ଜାମିଏସନ୍‌ ଗ୍ରିର ଓ୍ବାଶିଂଟନ୍‌ର ପକ୍ଷ ରଖିଥାନ୍ତେ। ବୈଠକରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ଟ୍ରେଡ୍‌ ଡିଲ୍‌ରେ ଶେଷସ୍ପର୍ଶ ଦିଆଯିବାକୁ ଥିବାବେଳେ ଶୁକ୍ରବାର ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ୍‌ଙ୍କ ଆକ୍ରମଣାତ୍ମକ ଟାରିଫ୍‌ ଆଭିମୁଖ୍ୟକୁ ବେଆଇନ ଦର୍ଶାଇ ରଦ୍ଦ କରିଦେଇଥିଲେ। ରାଷ୍ଟ୍ରପତି ୧୯୭୭ର ଅନ୍ତର୍ଜାତୀୟ ଜରୁରୀ ଅର୍ଥନୈତିକ କ୍ଷମତା (ଆଇଇଇପିଏ) ବଳରେ ଅତ୍ୟୁଚ୍ଚ ଆମଦାନୀ ଶୁଳ୍କ କଷିପାରିବେ ନାହିଁ ବୋଲି ସେଠାକାର ଶୀର୍ଷ ଅଦାଲତ ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ନୈରାଶ୍ୟଜନକ କହି ସମାଲୋଚନା କରିଥିବା ଟ୍ରମ୍ପ୍‌ ଏହାର କିଛି ଘଣ୍ଟା ପରେ ବିଶ୍ୱବ୍ୟାପୀ ୧୦% ଟାରିଫ୍‌ ଲଗାଇବାକୁ ଘୋଷଣା କରିଥିଲେ। ସେ ଶନିବାର ଏହି ଟାରିଫ୍‌କୁ ୧୫% ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପୂର୍ବରୁ ଭାରତ ଉପରେ ଟ୍ରମ୍ପ୍‌ ଲଗାଇଥିବା ଆମଦାନୀ ଶୁଳ୍କ ଓ ରୁଷୀୟ ତୈଳ କ୍ରୟ ବାବଦକୁ ମୋଟ ୫୦% ଟାରିଫ୍‌ ଲଗାଇଥିବାବେଳେ ଫେବୃଆରୀ ପ୍ରାରମ୍ଭରେ ଏହାକୁ ୧୮%କୁ ଖସାଇଦେଇଥିଲେ। ଅନ୍ୟପକ୍ଷେ ସୁପ୍ରିମକୋର୍ଟ ଝଟକା ପରେ ଟ୍ରମ୍ପ୍‌ ଭାରତରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଟାରିଫ୍‌ ଅପରିବର୍ତ୍ତିତ ରହିବ ବୋଲି ହ୍ବାଇଟ୍‌ ହାଉସ୍‌ରେ ଖବରଦାତାମାନଙ୍କୁ ସୂଚନା ଦେଇଥିଲେ। ଟ୍ରମ୍ପ୍‌ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ ଭାରତ ସହ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଭାରତ ଆମକୁ ଟାରିଫ୍‌ ଦେବ କିନ୍ତୁ ଆମେ ଦେବୁନାହିଁ। ଭାରତ ସହ ଏହା ହିଁ ଚୁକ୍ତି। ପୂର୍ବରୁ ଯାହା ଥିଲା, ସେଥିରେ ପରିବର୍ତ୍ତନ ହୋଇଛି। ଆପଣମାନେ ଜାଣନ୍ତି ଯେ ଭାରତ ଓ ମୁଁ ଭାବୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ବହୁତ ଭଦ୍ରଲୋକ, କିନ୍ତୁ ସେ ଅନ୍ୟମାନଙ୍କଠାରୁ ଅଧିକ ସ୍ମାର୍ଟ। ସେ ଆମେରିକାଠାରୁ ଫାଇଦା ଉଠାଉଥିଲେ। ସେଥିପାଇଁ ଆମେ ଭାରତ ସହ ଡିଲ୍‌ କଲୁ। ଏହା ବହୁତ ଭଲ ଚୁକ୍ତିନାମା, ଯେଉଁଥିରେ ଆମେ ସେମାନଙ୍କୁ ଟାରିଫ୍‌ ଦେବୁନାହିଁ, କିନ୍ତୁ ସେମାନେ ଆମକୁ ପୈଠ କରିବେ ବୋଲି ଟ୍ରମ୍ପ୍‌ ସ୍ପଷ୍ଟ କରିଥିଲେ। ଏଭଳି ସ୍ଥିତିରେ ଭାରତରୁ ଆମେରିକାକୁ ପ୍ରବେଶ କରିବାକୁ ଥିବା ସାମଗ୍ରୀଗୁଡ଼ିକ ୧୫% ନା ୧୮% ଆମଦାନୀ ଶୁଳ୍କର ସମ୍ମୁଖୀନ ହେବ ସେନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଉପୁଜିଥିଲା। ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆଲୋଚନାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଉଭୟ ପକ୍ଷ ବିଚାରବିମର୍ଶ ପରେ ବୈଠକ ପାଇଁ ସହମତି ଭିତ୍ତିରେ ନୂଆ ତାରିଖ ଘୋଷଣା କରିବେ ବୋଲି ଭାରତ ଓ ଆମେରିକା ପକ୍ଷରୁ ପୃଥକ୍‌ ଭାବେ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 

Share