ନୂଆଦିଲ୍ଲୀ,୨୦।୯: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଖୁବ ଶୀଘ୍ର ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ସଠିକ ଦିଗରେ ଅଗ୍ରସର ହେଉଥିବାରୁ ତାଙ୍କର ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆମେରିକାର ମୁଖ୍ୟ ଆଲୋଚନାକାରୀ ବ୍ରେଣ୍ଡନ ଲିଞ୍ଚ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ମଧ୍ୟରେ ଏକ ଦିନିକିଆ ଆଲୋଚନା ପରେ ଏହି ଗସ୍ତ ହୋଇଛି।
ସୂତ୍ର ଅନୁସାରେ, ‘ବାଣିଜ୍ୟ ମନ୍ତ୍ରୀ ବାଣିଜ୍ୟ ଆଲୋଚନା ପାଇଁ ଆଗାମୀ କିଛି ଦିନ ମଧ୍ୟରେ ଆମେରିକା ଗସ୍ତ କରିବାର ସମ୍ଭାବନା ଅଛି।’ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୬ରେ ଦିଲ୍ଲୀ ଗସ୍ତ କରିଥିବା ଆମେରିକୀୟ ଦଳ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଦିନିକିଆ ଆଲୋଚନା ସକାରାତ୍ମକ ଥିଲା ଏବଂ ଉଭୟ ପକ୍ଷ ଚୁକ୍ତିର ଶୀଘ୍ର ଏବଂ ପାରସ୍ପରିକ ଲାଭଦାୟକ ନିଷ୍କର୍ଷ ପାଇଁ ପ୍ରୟାସ କରିବାକୁ ସହମତ ହୋଇଥିଲେ।
ଆମେରିକୀୟ ଅଧିକାରୀଙ୍କ ସହିତ ସାତ ଘଣ୍ଟାର ବୈଠକ ପରେ, ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି,‘ଯେତେଶୀଘ୍ର ସମ୍ଭବ ଏକ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ଶେଷ କରିବା ପାଇଁ ପ୍ରୟାସକୁ ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି।’
ଅଗଷ୍ଟରେ ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ସ୍ଥଗିତ ରହିଥିଲା। ଉଭୟ ପକ୍ଷ ମଧ୍ୟରେ ଏପର୍ଯ୍ୟନ୍ତ ପାଞ୍ଚ ପର୍ଯ୍ୟାୟ ଆଲୋଚନା ହୋଇଛି।
ପୂର୍ବରୁ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସେପ୍ଟେମ୍ବର ୧୧ରେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ନଭେମ୍ବର ସୁଦ୍ଧା ଚୂଡ଼ାନ୍ତ ହୋଇପାରିବ। ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଆଲୋଚନା ସକାରାତ୍ମକ ଦିଗରେ ଅଗ୍ରଗତି କରୁଛି ଏବଂ ଉଭୟ ପକ୍ଷ ଏପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିରେ ସନ୍ତୁଷ୍ଟ।
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ, ‘ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ମନ୍ତ୍ରୀମାନଙ୍କୁ ଏହି ଚୁକ୍ତି ଉପରେ କାମ କରିବାକୁ ଏବଂ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ନଭେମ୍ବର ୨୦୨୫ ସୁଦ୍ଧା ଶେଷ ହେବା ଉଚିତ ଏବଂ ମାର୍ଚ୍ଚ ମାସରୁ, ଏହି ପ୍ରସଙ୍ଗଟି ବହୁତ ଭଲ ପରିବେଶରେ ଗମ୍ଭୀର ଆଲୋଚନା ଚାଲିଛି ଏବଂ ପ୍ରଗତି ହେଉଛି।’