କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଲା ଜାତିସଂଘ: ଆଶା କରୁଛୁ…

ଜାତିସଂଘ,୨୯।୩: ଭାରତରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣାକୁ ନେଇ ଭାରତରେ ରାଜନୈତିକ ଅଶାନ୍ତି ଦେଖାଦେଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛି ଜାତିସଂଘ।

ଭାରତରେ ତଥା ନିର୍ବାଚନ ହେଉଥିବା ଯେକୌଣସି ଦେଶରେ ଲୋକମାନଙ୍କ ରାଜନୈତିକ ଓ ନାଗରିକ ଅଧିକାର ସୁରକ୍ଷିତ ହେବା ଏବଂ ସମସ୍ତେ ମୁକ୍ତ ଓ ସ୍ବଚ୍ଛ ବାତାବରଣରେ ଭୋଟ ଦେବାକୁ ସକ୍ଷମ ହେବା ଆବଶ୍ୟକ ବୋଲି ଆମେ ଆଶା କରିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।

ତେବେ ପୂର୍ବରୁ ଆମେରିକା ମଧ୍ୟ କେଜ୍‌ରିଓ୍ବାଲଙ୍କ ଗିରଫଦାରି ଓ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳକୁ ନେଇ ଅନୁରୂପ ମନ୍ତବ୍ୟ ଦେଇଥିଲା। ଏନେଇ ବୁଧବାର ଭାରତ ଆମେରିକା ଦୂତାବାସର ବରିଷ୍ଠ କୂଟନୀତିଜ୍ଞଙ୍କୁ ସମନ କରିବା ପରେ ଓ୍ବାଶିଂଟନ ସ୍ବଚ୍ଛ ଓ ଠିକ୍‌ ସମୟରେ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରୁଥିବା କହିଥିଲା।

Share
Tags: National