Categories: ଖେଳ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ୨୭ ହଜାର ଦର୍ଶକ ଦିବାରାତ୍ର ଟେଷ୍ଟ ଦେଖିବେ

ସିଡନୀ,୧୧।୧୧(ପି.ଟି.): ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବା- ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଡିସେମ୍ବର ୧୭ ତାରିଖରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟକୁ ୨୭ ହଜାର ଦର୍ଶକ ଦେଖିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ମଙ୍ଗଳବାର ପ୍ରକାଶ କରାଯାଇଛି। । ଷ୍ଟାଡିୟମର କ୍ଷମମତାକୁ ଦେଖିଲେ ଏହି ସଂଖ୍ୟାର ଦର୍ଶକ ପ୍ରାୟ ୫୦ ପ୍ରତିଶତ ହେବେ।
ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଏବେ କ୍ରିକେଟ ମ୍ୟାଚ୍‌ଗୁଡିକ ଫାଙ୍କା ଷ୍ଟାଡିୟମରେ କଡ଼ାକଡ଼ି ନିୟମରେ ଜୈବ ସୁରକ୍ଷିତ ପରିବେଶ ବା ବାୟୋ- ବବଲରେ ଖେଳାଯାଉଛି। ତେବେ ଏହା ସତ୍ତ୍ୱେ ଭାରତ- ଅଷ୍ଟ୍ରେଲିଆ ସିରିଜରେ କିଛି ଦର୍ଶକଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ଦିଆଯିବ। ଏହି ହାଇପ୍ରୋଫାଇଲ ଗସ୍ତରେ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି୨୦ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ନଭେମ୍ବର ୨୭ ତାରିଖରୁ ଏହି ଗସ୍ତ ଆରମ୍ଭ ହେବ। ପ୍ରଥମ ଦିନିକିଆ ସିଡ୍‌ନୀରେ ଖେଳାଯିବ। ସେହିପରି ଟେଷ୍ଟ ସିରିଜ ଆଡିଲେଡରେ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ।
ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ୫୦ ପ୍ରତିଶତ କ୍ଷମତା ଅର୍ଥାତ ୨୭,୦୦୦ ଟିକେଟ୍‌ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ଏହି ଦିବାରାତ୍ର ଟେଷ୍ଟରେ ପ୍ରତ୍ୟେକ ଦିନ ଏହି ପରିମାରଣ ଦର୍ଶକ ମ୍ୟାଚ୍‌ ଉପଭୋଗ କରିପାରିବେ। ସିରିଜର ଏହି ଏକମାତ୍ର ଦିବାରାତ୍ର ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଖେଳିବେ। ତେବେ ସେ ଏହାପରେ ପିତୃତ୍ୱ ଛୁଟିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜାନୁୟାରୀ ପ୍ରାରମ୍ଭରେ ମା ହେବାର ସୌଭାଗ୍ୟ ଲାଭ କରିବେ। ତେଣୁ କୋହଲି ସିରିଜର ବାକି ୩ଟି ଟେଷ୍ଟ ଖେଳି ପାରିବେ ନାହିଁ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳାଯିବ। ପୂର୍ବରୁ ଅଷ୍ଟ୍ରେଲିଆ ଅବଶ୍ୟ ଆଡିଲେଡ୍‌ରେ ୪ଟି ଦିବାରାତ୍ର ଟେଷ୍ଟ ଆୟୋଜନ କରିଛି। ତେବେ ଭାରତ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଏକମାତ୍ର ଦିବାରାତ୍ର ଟେଷ୍ଟ ଖେଳିଥିଲା ଓ ଏଥିରେ ବିଜୟ ହାସଲ କରିଥିଲା।
ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଡିସେମ୍ବର ୨୬ରୁ ୩୦ ତାରିଖ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌କୁ ଷ୍ଟାଡିୟମ କ୍ଷମତାର ୨୫ ପ୍ରତିଶତ ଦର୍ଶକ ଦେଖିପାରିବେ। ସେହିପରି ଚତୁର୍ଥ ଟେଷ୍ଟ ବ୍ରିସ୍‌ବେନ୍‌ରେ ଆୟୋଜନ ହେବ। ଏହାକୁ ଷ୍ଟାଡିୟମ କ୍ଷମତାର ୭୫ ପ୍ରତିଶତ ଅର୍ଥାତ୍‌ ୩୦,୦୦୦ ଦର୍ଶକ ଦେଖିପାରିବେ। କୋଭିଡ୍‌-୧୯ ସ୍ଥିତିରେ ଉନ୍ନତି ଆସୁଥିବାରୁ ମ୍ୟାଚ୍‌ ଖେଳାଯିବା ବେଳକୁ ଆହୁରି ଅଧିକ ଟିକେଟ ବିକ୍ରି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ଏ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇ ନାହିଁ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହାକୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ଅର୍ଥାତ ୨୩,୦୦୦ ଦର୍ଶକ ଉପଭୋଗ କରିବେ ବୋଲି କୁହାଯାଇଛି।

Share