Categories: Home Leftଖେଳ

ବେଲ୍‌ଜିୟମକୁ ଭେଟିବ ଭାରତ

ଲଣ୍ଡନ,୨୬ା୫: ପ୍ରୋ ହକି ଲିଗ୍‌ର ୟୁରୋପ ଚରଣ ଶୁକ୍ରବାର ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମକୁ ଭେଟିବ। ୧୯ ପଏଣ୍ଟ ସହିତ ଭାରତ ପ୍ରୋ ହକି ଲିଗ୍‌ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି। ଭାରତ ସମୁଦାୟ ୮ ମ୍ୟାଚ୍‌ ଖେଳିଥିବା ବେଳେ ୫ଟିରେ ବିଜୟୀ ହୋଇଛି। ନିକଟରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିବା ଚରଣରେ ଭାରତ ନିଜର ୩ଟି ଯାକ ମ୍ୟାଚ୍‌ ବିଜୟୀ ହୋଇଥିଲା। ନୂତନ କୋଚ୍‌ କ୍ରେଗ୍‌ ଫୁଲଟନ୍‌ଙ୍କ ଅଧୀନରେ ଭାରତ ଖେଳିବାକୁ ଯାଉଥିବା ବେଳେ ଦଳ ସଫଳ ହେବାକୁ ପ୍ରୟାସ କରିବ। ବେଲ୍‌ଜିୟମ ଓ ଗ୍ରେଟ୍‌ ବ୍ରିଟେନ୍‌ ଏହି ସିରିଜରେ ଅଂଶଗ୍ରହଣ କରିବେ। ଆୟୋଜକ ଗ୍ରେଟ୍‌ ବ୍ରିଟେନ ମଧ୍ୟ ଚମତ୍କାର ଫର୍ମରେ ରହିଛି। କ୍ରିଷ୍ଟଚର୍ଚ୍ଚରେ ଖେଳା ଯାଇଥିବା ମ୍ୟାଚରେ ଦଳ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଦୁଇଟି ଲେଖାଏରେ ପରାସ୍ତ କରିଥିଲା। ୧୯ ପଏଣ୍ଟ ସହିତ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ଦଳର କୋଚ୍‌ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା କ୍ରେଗ୍‌ ଫୁଲଟନଙ୍କ ପାଇଁ ଏହା ଏକ ବୃହତ୍‌ ଚ୍ୟାଲେଞ୍ଜ ରହିବ। ହରମନ୍‌ପ୍ରୀତ୍‌ ସିଂଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବେଲ୍‌ଜିୟମ ବିରୋଧରେ ନିଜର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ୍‌ ବିପକ୍ଷରେ ଭାରତ ଶେଷ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲା। ଏହି ମ୍ୟାଚ୍‌କୁ ଦଳ ୩-୧ରେ ଜିତି ନେଇଥିଲା। ୨୦୧୬ ପରଠାରୁ ଭାରତ ଓ ବେଲ୍‌ଜିୟମ ମଧ୍ୟରେ ୧୯ଟି ମ୍ୟାଚ୍‌ ଖେଳା ଯାଇଛି। ଏଥିରୁ ୯ ଥର ବେଲ୍‌ଜିୟମ ବିଜୟୀ ହୋଇଥିବା ବେଳେ ୮ ଥର ଭାରତ ଜିତିଛି ଓ ୨ଟି ମ୍ୟାଚ୍‌ ଡ୍ରରେ ଶେଷ ହୋଇଛି। ବିଗତ ୫-୬ ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ସ୍ତର ବେଶ୍‌ ଉପରକୁ ଉଠିଥିବା ବେଳେ ଏହାକୁ ନେଇ ଆମେ ଉତ୍ସାହିତ ଅଛୁ ବୋଲି କହିଛନ୍ତି ଅଧିନାୟକ ହରମନ୍‌ପ୍ରୀତ ସିଂ।