ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଲା ଭାରତ: ପଠାଇଲା ୪୦ହଜାର ଟନ୍‌ ଚାଉଳ

ନୂଆଦିଲ୍ଲୀ,୨।୪: କଠିନ ପରିସ୍ଥିତିରେ ସବୁବେଳେ ପଡ଼ୋଶୀ ହିଁ ପଡ଼ୋଶୀର ସାହାଯ୍ୟ ଆସିଥାଏ। ଏହି ଉକ୍ତିଟିକୁ ସଫଳ କରିଦେଖାଇଛି ଭାରତ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ। ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଖାଦ୍ୟ ସହାୟତା ପଠାଯାଉଛି। ଫଳରେ ମହଙ୍ଗାମାଡ଼ ଯୋଗୁ ଲୋକଙ୍କୁ ଖାଦ୍ୟ ଅଭାବରୁ କିଛି ମାତ୍ରାରେ ଆରାମ ମିଳିପାରିବ। ସୂଚନାଯୋଗ୍ୟ, ଭାରତର ବ୍ୟବସାୟୀମାନେ ଶ୍ରୀଲଙ୍କାକୁ ପଠାଇବା ପାଇଁ ୪୦ହଜାର ଟନ୍‌ ଚାଉଳ ଲୋଡିଂ କରିବା ଆରମ୍ଭ କରିଦେଇଛନ୍ତି। ରଏଟର୍ସ ଖବର ଅନୁଯାୟୀ, ଭାରତରୁ କ୍ରେଡିଟ ଲାଇନ ମିଳିବା ପରେ ଶ୍ରୀଲଙ୍କାକୁ ଏହା ପଠାଯାଇଥିବା ପ୍ରଥମ ଖାଦ୍ୟ ସହାୟତା। ଶ୍ରୀଲଙ୍କା ଏହି ସହାୟତା ଏଭଳି ସମୟରେ ପାଇଛି ଯେଉଁ ସମୟରେ ସେଠାରେ ଏକ ବଡ଼ ପର୍ବ ପାଳନ ହେବାକୁ ଯାଉଛି। ଅନ୍ୟପଟେ ସେଠାରେ ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।