ରାଞ୍ଚି,୩୦ା୧୧: ସ୍ଥାନୀୟ ଜେଏସ୍ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ନିୟମିତ ଅଧିନାୟକ ଶୁବମନ ଗିଲ ଓ ଉପଅଧିନାୟକ ଶ୍ରେୟସ ଆୟାରଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ ସିରିଜ୍ରେ ଦଳର ନେତୃତ୍ୱ ଭାର ସମ୍ଭାଳିବେ। ଆସନ୍ତା ବର୍ଷ ଫେବୃଆରୀରେ ଭାରତରେ ଟି୨୦ ବିଶ୍ୱକପ୍ ହେବାକୁ ଥିବାରୁ ଏହି ସିରିଜ୍ର ବିଶେଷ ଗୁରୁତ୍ୱ ନାହିଁ। କିନ୍ତୁ ଟେଷ୍ଟ ଓ ଟି୨୦ ଫର୍ମାଟରୁ ଅବସର ନେଇସାରିଥିବା ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ।
ଦୁହେଁ ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଭଲ ପ୍ରଦର୍ଶନ କରିଥିଲେ। ଆଗାମୀ ଦୁଇ ମାସ ମଧ୍ୟରେ ଭାରତୀୟ ଦଳ ୬ଟି ଦିନିକିଆ ମ୍ୟାଚ୍ ଖେଳିବ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବାର ଅଛି। ଏଣୁ ୨୦୨୭ ବିଶ୍ୱକପ୍ ଖେଳିବା ଲକ୍ଷ୍ୟରେ ଥିବା ଉଭୟ ରୋହିତ ଓ କୋହଲି ଲାଗି ଏହି ଦୁଇ ସିରିଜ୍ ପରୀକ୍ଷା ସଦୃଶ ହେବ। ଉଲ୍ଲେଖଯୋଗ୍ୟ, ଏହି ଜେଏସ୍ସିଏ ଷ୍ଟାଡିୟମରେ ୨୦୧୩ରେ ରୋହିତ ପ୍ରଥମ ଥର ଭାରତୀୟ ଦଳ ପାଇଁ ପୂର୍ଣ୍ଣକାଳୀନ ଓପନର ଭାବେ ଖେଳିଥିଲେ, ଯାହାକି ତାଙ୍କ କ୍ୟାରିୟରକୁ ବଦଳାଇ ଦେଇଥିଲା।
ଟେଷ୍ଟ ସିରିଜ୍ରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ମୁଖ୍ୟକୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଓ ଟିମ୍ ସିଲେକ୍ସନ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିଯୋଗୁ ଏହି ଦିନିକିଆ ସିରିଜ୍ ତାଙ୍କ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜ୍ ଜରିଆରେ ଭାରତୀୟ ହ୍ବାଇଟ୍ ବଲ ଦଳ କେଉଁ ଦିଗରେ ଆଗଉଛି, ତାହା ଗମ୍ଭୀର ପ୍ରଦର୍ଶିତ କରିପାରିବେ।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା/ ଋତୁରାଜ ଗାଏକ୍ୱାଡ, ରିଷଭ ପନ୍ତ/ଧ୍ରୁବ ଜୁରେଲ (ଉଇକେଟକିପର), ଲୋକେଶ ରାହୁଲ (ଅଧିନାୟକ), ରବୀନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ/ଓ୍ବାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରାମ/ରିୟାନ ରିକଲଟନ, କ୍ୱିଣ୍ଟନ ଡି କକ୍(ଉଇକେଟକିପର), ଟେମ୍ବା ବଭୁମା(ଅଧିନାୟକ), ଟୋନି ଡି ଜର୍ଜି, ମାଥ୍ୟୁ ବ୍ରିଜକେ, ଡଓ୍ବୋଲ୍ଡ ବ୍ରେଭିସ, ମାର୍କୋ ଜାନସେନ, କର୍ବିନ ବୋଶ୍ଚ, କେଶବ ମହାରାଜ, ଲୁଙ୍ଗି ଏନ୍ଗିଡି, ଓଟନିଲ ବାର୍ଟମାନ।
Dharitri – Odisha’s No.1 Odia Daily