ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ୨୦୨୫ ବର୍ଷଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ବଜାରରେ ଶସ୍ତା ଫୋନ୍ ଅପେକ୍ଷା ଦାମୀ ସ୍ମାର୍ଟଫୋନର ଚାହିଦା ବହୁଗୁଣା ବୃଦ୍ଧି ପାଇଛି। ସାମଗ୍ରିକ ଭାବେ ବଜାରର ବିକ୍ରି ପରିମାଣ ମାତ୍ର ୧ ପ୍ରତିଶତ ବଢ଼ିଥିବା ବେଳେ ଏହାର ମୋଟ ମୂଲ୍ୟରେ ୮ ପ୍ରତିଶତର ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ଧାରାରେ ଆପଲ୍ ସବୁଠାରୁ ଆଗରେ ରହି ନିଜର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି।
୨୦୨୫ ମସିହାରେ ଆପଲ୍ ନିଜର ବିକ୍ରିରେ ୨୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଯାହା ବଜାରର ସାଧାରଣ ଅଭିବୃଦ୍ଧି ତୁଳନାରେ ଯଥେଷ୍ଟ ଅଧିକ। ବିଶେଷ କରି iPhone 16 ଭାରତରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ମଡେଲ୍ ଭାବେ ଉଭା ହୋଇଛି। କମ୍ପାନୀ ବର୍ତ୍ତମାନ ଭାରତୀୟ ସ୍ମାର୍ଟଫୋନ୍ ବଜାରର ମୋଟ ମୂଲ୍ୟର ୨୮ ପ୍ରତିଶତ ଅଂଶଧନ ଦଖଲ କରିଛି, ଯାହା ଏପର୍ଯ୍ୟନ୍ତର ସର୍ବୋଚ୍ଚ ରେକର୍ଡ।
ଅନ୍ୟପଟେ, ବିକ୍ରି ପରିମାଣ ଦୃଷ୍ଟିରୁ Vivo ୨୦ ପ୍ରତିଶତ ଶେୟାର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ Samsung ଦ୍ୱିତୀୟ ଏବଂ OPPO ତୃତୀୟ ସ୍ଥାନ ବଜାୟ ରଖିଛନ୍ତି। ମୋଟୋରୋଲା ୫୪ ପ୍ରତିଶତ ବୃଦ୍ଧି ସହ ଦେଶର ଦ୍ରୁତତମ ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍ ସାବ୍ୟସ୍ତ ହୋଇଛି। ସହଜ ଫାଇନାନ୍ସିଂ ଏବଂ EMI ସୁବିଧା ଯୋଗୁଁ ପ୍ରାୟ ୪୦ ପ୍ରତିଶତ ଗ୍ରାହକ ଦାମୀ ଫୋନ୍ କିଣିବାକୁ ପସନ୍ଦ କରିଛନ୍ତି, ଯାହା ବଜାରକୁ ଏକ ନୂଆ ମୋଡ଼ ଦେଇଛି।