Categories: Home Leftଖେଳ

ଭାରତ ତୃତୀୟ ସ୍ଥାନକୁ ଖସିଲା

ଦୁବାଇ,୧୨ା୫: ସଦ୍ୟ ପ୍ରକାଶିତ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗ ଟିମ୍‌ ତାଲିକାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନ ଅଧିକାର କରିଛି। ଅଷ୍ଟ୍ରେଲିଆ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛି। ବାର୍ଷିକ ଅପ୍‌ଡେଟ୍‌ରେ ୫ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୧୩ରୁ ୧୧୮କୁ ବୃଦ୍ଧି ପାଇଛି। ଭାରତ (୧୧୫ ପଏଣ୍ଟ) ଓ ପାକିସ୍ତାନ (୧୧୬ ପଏଣ୍ଟ) ମଧ୍ୟରେ ପଏଣ୍ଟ ବ୍ୟବଧାନ ମାତ୍ର ୧ ପଏଣ୍ଟ ରହିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ପ୍ରେସ୍‌ ଇସ୍ତାହାର ଅନୁସାରେ ବାର୍ଷିକ ର଼୍ୟାଙ୍କିଙ୍ଗ ଅପ୍‌ଡେଟ୍‌ ପୂର୍ବରୁ ଡେସିମାଲ ହିସାବରେ ଭାରତ ଆଗରେ ଅଷ୍ଟ୍ରେଲିଆ ୧୧୩ ପଏଣ୍ଟ ସହ ଶୀର୍ଷରେ ରହିଥିଲା। ପାକିସ୍ତାନ ୧୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର ଚଳିତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଅନ୍ତର୍ଜାତୀୟ ଦିନିକିଆରେ ବିଜୟ ଲାଭ କରିବା ପରେ ପାକିସ୍ତାନ ସାମୟିକ ଭାବେ ନମ୍ବର ଓ୍ବାନ ସ୍ଥାନ ଅଧିକାର କରି ନେଇଥିଲା। ପାକିସ୍ତାନ ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ୫-୦ରେ ବିଜୟ ହାସଲ କରିଥାନ୍ତା ତେବେ ବର୍ତ୍ତମାନ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିପାରିଥାନ୍ତା। ର଼୍ୟାଙ୍କିଙ୍ଗ ତାଲିକାରେ ପ୍ରଥମ ଓ ତୃତୀୟ ସ୍ଥାନରେ ରହିଥିବା ଦଳ ମଧ୍ୟରେ ବ୍ୟବଧାନ ମାତ୍ର ୩ ପଏଣ୍ଟ ରହିଥିବାରୁ ଚଳିତ ବର୍ଷ ହେବାକୁଥିବା ବିଶ୍ୱକପ୍‌ରେ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷ ସ୍ଥାନ ପାଇଁ କୌତୂହଳପୂର୍ଣ୍ଣ ଲଢେଇ ହେବ। ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ (୧୦୪) ଚତୁର୍ଥ ଏବଂ ଇଂଲଣ୍ଡ (୧୦୧) ୫ମ ସ୍ଥାନରେ ଅଛି।