କେ.ଏଲ୍‌. ରାହୁଲ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମିବ: ବ୍ରେଟ୍‌ ଲି

ସିଡନୀ,୧୪।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ କମ୍‌ କରାଯାଇପାରେ। ଏହାଦ୍ୱାରା ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ। ତେବେ ଏଥିପାଇଁ କେଏଲ୍‌ ରାହୁଲଙ୍କୁ ଅଧିକ ରନ୍‌ କରିବାକୁ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର ବ୍ରେଟ୍‌ ଲି କହିଛନ୍ତି।

ଲି କହିଛନ୍ତି, ଭାରତୀୟ ଟିମ୍‌ ବିଶ୍ୱକପ୍‌ ଜିତିବାର ବଡ଼ ଦାବିଦାର। ଦଳ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପାଇଁ ଭାରତ ପାଖରେ ଅନେକ ଯୁବ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରେ ଦ୍ରୁତ ବୋଲର ରହିଛନ୍ତି। ଅପରପକ୍ଷେ ଦେଖିଲେ ଭାରତର ଶୀର୍ଷକ୍ରମ ବହୁତ ଭଲ। ସବୁ ଖେଳାଳିଙ୍କ ମଧ୍ୟରୁ କେଏଲ୍‌ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ହୋଇପାରନ୍ତି। କାରଣ ସେ ଆଇପିଏଲ୍‌ରେ ଭଲ ଖେଳିଛନ୍ତି। ସେ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମ୍‌ ହେବ। ସେ ନିଜର ସ୍ବାଭାବିକ ଖେଳ ଦେଖାଇପାରିବେ। ଅଧିନାୟକ ଭାବେ ଶେଷ ଟୁର୍ନାମେଣ୍ଟ ମଧ୍ୟ ହୋଇପାରେ। ଏଥିଯୋଗୁ କୋହଲି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ ବୋଲି ମଧ୍ୟ ଲି କହିଛନ୍ତି। ଏହାଛଡ଼ା ସୂର୍ଯ୍ୟକୁମାର ଯାଦବ ଭାରତର ଆଗାମୀ ଷ୍ଟାର ହେବେ ବୋଲି ମଧ୍ୟ ସେ କହିଛନ୍ତି।