ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ ଗୁଣବତ୍ତା ମାର୍ଗଦର୍ଶିକା କେବଳ ପରାମର୍ଶମୂଳକ ମୂଲ୍ୟ ଭାବରେ କାର୍ଯ୍ୟ କରେ, ବାଧ୍ୟତାମୂଳକ ମାନଦଣ୍ଡ ନୁହେଁ। କେନ୍ଦ୍ର ସରକାର ଗୁରୁବାର ଦିନ ସଂସଦରେ ଏହି ସୂଚନା ଦେଇଛନ୍ତି।

ରାଜ୍ୟସଭାରେ IQAir, WHO ଏବଂ EPI ଭଳି ବିଶ୍ୱ ସୂଚକାଙ୍କରେ ଭାରତର ସ୍ଥିତି ସମ୍ପର୍କରେ ଉଠିଥିବା ପ୍ରଶ୍ନର ଉତ୍ତର ଦେଇ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ବିଶ୍ୱରେ କୌଣସି ଆଧିକାରିକ ଦେଶଭିତ୍ତିକ ପ୍ରଦୂଷଣ ରାଙ୍କିଙ୍ଗ କରାଯାଏ ନାହିଁ।

ସେ ସ୍ପଷ୍ଟ କରିଛନ୍ତି ଯେ WHOର ମାର୍ଗଦର୍ଶିକା ଦେଶଗୁଡ଼ିକୁ ସେମାନଙ୍କର ଭୌଗୋଳିକ ଅବସ୍ଥା, ପରିବେଶ ପରିସ୍ଥିତି, ପୃଷ୍ଠଭୂମି ସ୍ତର ଏବଂ ଜାତୀୟ ପରିସ୍ଥିତିକୁ ବିଚାରକୁ ନେଇ ନିଜସ୍ୱ ମାନଦଣ୍ଡ ସ୍ଥିର କରିବାରେ ସାହାଯ୍ୟ କରିଥାଏ।

ଭାରତ ସରକାର ପବ୍ଲିକ୍ ହେଲଥ୍ ଏବଂ ପରିବେଶ ସୁରକ୍ଷା ପାଇଁ ୧୨ଟି ପ୍ରଦୂଷକ ପାଇଁ ନିଜର ଜାତୀୟ ପାରିପାର୍ଶ୍ୱିକ ବାୟୁ ଗୁଣବତ୍ତା ମାନଦଣ୍ଡ (NAAQS) ପୂର୍ବରୁ ବିଜ୍ଞପ୍ତି କରି ସାରିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବିଶ୍ୱ ସଂସ୍ଥା ଦେଶଗୁଡ଼ିକୁ ଆନୁଷ୍ଠାନିକ ଭାବରେ ରାଙ୍କିଙ୍ଗ୍ ଦେଉ ନ ଥିଲେ ହେଁ, ଭାରତ ସରକାର ବାୟୁ ଗୁଣବତ୍ତା ଉନ୍ନତିକରଣ ପଦକ୍ଷେପ ଆଧାରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ ଥିବା ୧୩୦ଟି ସହରର ମୂଲ୍ୟାଙ୍କନ କରିବାକୁ ପ୍ରତିବର୍ଷ ‘ସ୍ୱଚ୍ଛ ବାୟୁ ସର୍ବେକ୍ଷଣ’ ଆୟୋଜନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ସେପ୍ଟେମ୍ବର ୭ ତାରିଖ ‘ଜାତୀୟ ସ୍ୱଚ୍ଛ ବାୟୁ ଦିବସ’ ଅବସରରେ ଭଲ ପ୍ରଦର୍ଶନ କରୁଥିବା ସହରଗୁଡ଼ିକୁ ପୁରସ୍କୃତ କରାଯାଏ।