ଅର୍ଶଦୀପ-ବରୁଣଙ୍କ ଚକ୍ରବ୍ୟୁହରେ ଫସିଗଲା ଇଂଲଣ୍ଡ, ଭାରତକୁ ମିଳିଲା ୧୩୩ ରନ୍‌ର ଟାର୍ଗେଟ

କୋଲକାତା,୨୨।୧: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ଭାରତକୁ ୧୩୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ ଉଇକେଟ ହାସଲ କରିଥିବା ବେଳେ ଅର୍ଶଦୀପ ସିଂ ୨ ଏବଂ ଅକ୍ଷର ପଟେଲ ମଧ୍ୟ ୨ ଉଇକେଟ ନେଇଛନ୍ତି।

ବିସ୍ଫୋରକ ବ୍ୟାଟିଂ ଲାଗି ଜଣାଶୁଣା ଇଂଲଣ୍ଡ ଟିମ୍‌ ପାଓ୍ବାର ପ୍ଲେରେ ମାତ୍ର ୭୪ ରନ୍‌ କରିପାରିଥିଲେ। ଅପରପକ୍ଷେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ ଜାରି ରଖିଥିଲେ। ଶେଷରେ ଦଳ ମାତ୍ର ୧୩୨ ରନ୍‌ ସ୍କୋରରେ ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସର୍ବାଧିକ ୬୮ ରନ୍‌ କରିଥିଲେ। ତାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଅର୍ଦ୍ଧଶତକ ଯାଏ ପହଞ୍ଚି ପାରି ନ ଥିଲେ।

କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇ ଥିଲେ। ତେବେ ଭାରତ ଏକାଦଶରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ମହମ୍ମଦ ଶାମିଙ୍କୁ ସାମିଲ କରାଯାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ତାହା ହୋଇନାହିଁ, ଯାହାକି କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି। ସେ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ହେଲେ ସେ ଫଲୋ ଥ୍ରୁ ସମୟରେ ଅସହଜ ଅନୁଭବ କରୁଛନ୍ତି। ଏଣୁ ସେ ବୋଲିଂ ଲାଗି ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇ ନ ଥିବା କୁହାଯାଉଛି।

Share
Tags: Sports News