ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ ପୁଣିଥରେ ଆକୃଷ୍ଟ କରିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ୍ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ କ୍ଷେତ୍ର ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ହାଇୱେ ନିର୍ମାଣରେ ଘରୋଇ ନିବେଶ ମାତ୍ର କିଛି ପ୍ରତିଶତ ରହିଥିବା ବେଳେ, ଆସନ୍ତା ବର୍ଷ ସୁଦ୍ଧା ଏହାକୁ ୨୫% କୁ ବୃଦ୍ଧି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।

ପୂର୍ବରୁ ପ୍ରଚଳିତ Build-Operate-Transfer (BOT-Toll) ମଡେଲକୁ ପୁଣିଥରେ ସକ୍ରିୟ କରାଯାଉଛି। ଯେଉଁଠାରେ ନିବେଶକାରୀମାନେ ଟୋଲ୍ ସଂଗ୍ରହ ମାଧ୍ୟମରେ ନିଜର ଖର୍ଚ୍ଚ ଭରଣା କରିପାରିବେ।

ପୂର୍ବରୁ ବ୍ୟୁରୋକ୍ରାଟିକ୍ ବିଳମ୍ବ ଏବଂ ରାଜସ୍ୱ ହାନି ଭୟରେ ପୁଞ୍ଜିନିବେଶକାରୀମାନେ ପଛଘୁଞ୍ଚା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ‘ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠି’ ଗଠନ କରିବାକୁ ଘୋଷଣା କରିଛନ୍ତି। ଏହା ନିବେଶକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ।

ଚଳିତ ବଜେଟରେ ଭିତ୍ତିଭୂମି ବିକାଶ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାସ୍ତା ଓ ବ୍ରିଜ୍ ନିର୍ମାଣ ପାଇଁ ବଜେଟ୍ ୬.୯% ବୃଦ୍ଧି କରାଯାଇ ୩.୧ ଲକ୍ଷ କୋଟି ଟଙ୍କା ରଖାଯାଇଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଦେଶର ହାଇ-ସ୍ପିଡ୍ ରୋଡ୍ ନେଟୱର୍କକୁ ୫ ଗୁଣ ବୃଦ୍ଧି କରିବାକୁ ଯୋଜନା ରହିଛି।

Share