Categories: Home Leftଖେଳ

ଆୟୋଜକ ଦୌଡ଼ରେ ଭାରତ, ସୌଦିଆରବ

ନୂଆଦିଲ୍ଲୀ, ୧୮ା୧୦: ଏସିଆନ କପ୍‌ ୨୦୨୭ର ଆୟୋଜନ ଅଧିକାର ପାଇବା ପାଇଁ କେବଳ ଭାରତ ଓ ସୌଦିଆରବ ମଧ୍ୟରେ ପ୍ରତିଯୋଗିତା ହେବ। ଆଗ୍ରହୀ ଥିବା ଅନ୍ୟ ୩ ଦେଶ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଥିବା ଏସିଆନ୍‌ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ସୋମବାର ଘୋଷଣା କରିଛି। ଯଦି ଭାରତ ବିଡ୍‌ ଜିତେ ତେବେ ଦେଶ ପ୍ରଥମ ଥର କଣ୍ଟିନେଣ୍ଟାଲ ଇଭେଣ୍ଟ ଆୟୋଜନ କରିବ। ଅନ୍ୟପକ୍ଷରେ ସୌଦିଆରବ ୩ ଥର ଏହି କଣ୍ଟିନେଣ୍ଟାଲ ଟାଇଟଲ ହାସଲ କରିଛ, କିନ୍ତୁ ଥରେ ହେଲେ ସେ ଏହି ଟୁର୍ନାମେଣ୍ଟ ଆୟୋଜନ କରିନାହିଁ। ଉଜ୍‌ବେକିସ୍ତାନ ୨୦୨୦ ଡିସେମ୍ବର ଏବଂ ଇରାନ କିଛିଦିନ ପୂର୍ବରୁ ସେମାନଙ୍କ ବିଡ୍‌ ପ୍ରତ୍ୟାହାର କରିନେଇଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ଲାଗି ଆଗ୍ରହ ପ୍ରକାଶ କରିଥିବା ତୃତୀୟ ରାଷ୍ଟ୍ର ହେଲା କାତାର। ଆସନ୍ତା ବର୍ଷ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଅଧିକାର ପାଇବା ସ୍ପଷ୍ଟ ହେବା ପରେ ୨୦୨୭ ସଂସ୍କରଣ ବିଡ୍‌ରୁ ଓହରି ଯାଇଥିଲା। ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହାସଲ କରିବା ଦୌଡ଼ରେ ବର୍ତ୍ତମାନ ଦୁଇ ବିଡର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ସୌଦି ଆରବିଆନ ଫୁଟ୍‌ବଲ ଫେଡେରେଶନ (ଏସଏଏଫ୍‌ଏଫ୍‌) ରହିଲେ ବୋଲି ଏଏଫ୍‌ସି ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।