ଆସନ୍ତା ୩ ବର୍ଷ ମଧ୍ୟରେ ୟୁରୋପୀୟ ଦେଶ ଭଳି ଭାରତର ରାସ୍ତା ହେବ ଚକାଚକ୍‌

ନୂଆଦିଲ୍ଲୀ,୨୬।୩: ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ରାସ୍ତା ୟୁରୋପୀୟ ଦେଶ ଭଳି ଚକାଚକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି। ଦିଲ୍ଲୀରେ ସିଆଇଆଇ ଦ୍ୱାରା ଆୟୋଜିତ ଇଣ୍ଡିଆ ଇକୋନୋମିକ କନକ୍ଲେଭ ୨୦୨୧ରେ ଗଡକରୀ କହିଛନ୍ତି ଯେ ମୋଦି ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଭାରତର ରାସ୍ତା ଆମେରିକା ଏବଂ ଅନ୍ୟ ୟୁରୋପୀୟ ଦେଶ ପରି ହେବ। ଗଡକରୀ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତିଦିନ ୩୫ କିଲୋମିଟର ରାସ୍ତା ନିର୍ମାଣ କରୁଛନ୍ତି। ଖୁବଶୀଘ୍ର, ପ୍ରତିଦିନ ୪୦ କିଲୋମିଟର ରାସ୍ତା ନିର୍ମାଣ କରିବାର ଲକ୍ଷ୍ୟ ମଧ୍ୟ ପୂରଣ ହେବ। କରୋନା ମହାମାରୀ ପରେ ମଧ୍ୟ ସରକାର ଟୋଲ ସଂଗ୍ରହରେ ୧୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି ବୋଲି ସେ କହିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚ୍‌ଏଆଇ) ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା ସଂଗ୍ରହ ଯୋଜନା ଉପରେ କାର୍ଯ୍ୟ କରୁଛି। ଏହି ଟଙ୍କା ଶେୟାର ବଜାରରୁ ସଂଗ୍ରହ କରାଯିବ। ମନ୍ତ୍ରୀ ଇଣ୍ଡଷ୍ଟ୍ରିଙ୍କୁ ଏହି ପ୍ରସଙ୍ଗରେ ଆଗକୁ ଆସି ନିବେଶ କରି ଏହାର ଫାଇଦା ନେବାକୁ କହିଥିଲେ। ଏହା ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ ଏବଂ ଏହି ପାଣ୍ଠିକୁ ଶକ୍ତିଶାଳୀ ଭିତ୍ତିଭୂମି ସୁବିଧା ପାଇଁ ଅର୍ଥ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି।