ନୂଆଦିଲ୍ଲୀ, ୧୧।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକୀୟ ମଧ୍ୟସ୍ଥତାରେ ଯୁଦ୍ଧବିରତି ଘୋଷଣା ହେବା ପରେ ଲୋକେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମାନେ ପକାଇ ସୋସିଆଲ ମିଡିଆରେ ‘ଆଇରନ ଲେଡି’ ଟ୍ରେଣ୍ଡ କରିଛନ୍ତି। କଂଗ୍ରେସ ନେତା ଏବଂ ସାଧାରଣ ଜନତା ଇନ୍ଦିରା ଗାନ୍ଧୀଙ୍କ ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୁଦ୍ଧରେ ଐତିହାସିକ ବିଜୟ ଏବଂ କିପରି ସେ ଆମେରିକା ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ତାକୁ ମନେ ପକାଇଛନ୍ତି।
ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ କଂଗ୍ରେସ ନେତା ଜୟରାମ ରମେଶ ଲେଖିଛନ୍ତି, “ଆଜି ଭାରତ ପୁଣି ଥରେ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି। ୧୯୭୧ରେ ଇନ୍ଦିରାଜୀ ଆମେରିକାର ରାଷ୍ଟ୍ରପତି ନିକ୍ସନ ଏବଂ ତାଙ୍କ ପ୍ରଶାସନର ଚାପ ସତ୍ତ୍ୱେ ଦୃଢ଼ ନିଷ୍ପତ୍ତି ନେଇଥିଲେ। ସେ ନିକ୍ସନଙ୍କ ଆଗରେ ମୁଣ୍ଡ ନୁଆଁଇ ନଥିଲେ ଏବଂ ଭାରତର ସ୍ୱାର୍ଥକୁ ସୁରକ୍ଷିତ ରଖି ବାଂଲାଦେଶ ମୁକ୍ତି ଯୁଦ୍ଧରେ ବିଜୟ ହାସଲ କରିଥିଲେ।”
ରମେଶ ଆହୁରି କହିଛନ୍ତି, “୧୯୭୧ ଯୁଦ୍ଧ ସମୟରେ ଆମେରିକା ପାକିସ୍ତାନକୁ ସମର୍ଥନ କରିଥିଲା ଏବଂ ଭାରତ ଉପରେ ଚାପ ପକାଇଥିଲା। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ତା ଓ ସାହସ ଯୋଗୁଁ ଭାରତ ସେହି ଚାପକୁ ଅବମାନନା କରି ଏକ ଐତିହାସିକ ବିଜୟ ହାସଲ କରିଥିଲା।”
ଏହି ବୟାନ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଦିନର ସୈନ୍ୟ ସଂଘର୍ଷ ପରେ ଶନିବାର ଯୁଦ୍ଧବିରତି ଘୋଷଣା ହେବା ପରେ ଆସିଛି। ରମେଶଙ୍କ ଏହି ମନ୍ତବ୍ୟକୁ ଅନେକେ ସାମ୍ପ୍ରତିକ ଯୁଦ୍ଧବିରତି ନିଷ୍ପତ୍ତି ଉପରେ ଏକ ପରୋକ୍ଷ ସମାଲୋଚନା ବୋଲି ବିବେଚନା କରୁଛନ୍ତି। ସେ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱକୁ ଉଦାହରଣ ଦେଇ ବର୍ତ୍ତମାନ ସରକାରଙ୍କୁ ଅଧିକ ସ୍ପଷ୍ଟ ଓ ଦୃଢ଼ ନୀତି ଗ୍ରହଣ କରିବାକୁ ଆହ୍ୱାନ ଦେଇଥିବା ଜଣାପଡ଼ୁଛି।
ସୋସିଆଲ ମିଡିଆରେ ଏହି ବୟାନ ସମ୍ପର୍କରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି। କିଛି ଲୋକ ରମେଶଙ୍କ ବୟାନକୁ ସମର୍ଥନ କରିଛନ୍ତି, ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ଏକ ଐତିହାସିକ ଉଦାହରଣ ଭାବେ ଦେଖୁଛନ୍ତି। ଅନ୍ୟମାନେ ଏହାକୁ ରାଜନୈତିକ ସୁଯୋଗବାଦ ବୋଲି ସମାଲୋଚନା କରିଛନ୍ତି। ଏହି ବୟାନ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଏବଂ ଭାରତ-ପାକିସ୍ତାନ ସମ୍ପର୍କରେ ଆଲୋଚନାକୁ ଆହୁରି ତୀବ୍ର କରିଛି।
ୟୁଜରଙ୍କ ପ୍ରତିକ୍ରିୟା
ଯୁଦ୍ଧବିରତି ଘୋଷଣା ପରେ ସାଧାରଣ ଜନତା ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରିଛନ୍ତି। ଜଣେ ବ୍ୟବହାରକାରୀ ଏକ୍ସରେ ଲେଖିଛନ୍ତି, “ଏହି ମୁହୂର୍ତ୍ତରେ ଭାରତ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଉଛି।” ଅନ୍ୟ ଜଣେ ଲେଖିଛନ୍ତି, “ଆଜି ଇନ୍ଦିରା ଗାନ୍ଧୀ ଟ୍ରେଣ୍ଡରେ ରହିବେ! ପାକିସ୍ତାନକୁ ଆତ୍ମସମର୍ପଣ କରାଇଥିବା ମହିଳା! ଆଇରନ ଲେଡି ଇନ୍ଦିରା ଗାନ୍ଧୀ।”
ଜଣେ ୟୁଜର ଲେଖିଛନ୍ତି, “ଇନ୍ଦିରା ଗାନ୍ଧୀ ଯୁଦ୍ଧ ମଧ୍ୟ ଜିତିଥିଲେ ଏବଂ ସମ୍ମାନ ମଧ୍ୟ।” ଆଉ ଜଣେ ପୋଷ୍ଟ କରିଛନ୍ତି, “ନିର୍ବାଚନ ଲଢ଼ିବା ଓ ଯୁଦ୍ଧ ଲଢ଼ିବାରେ ତଫାତ ଅଛି। କେହି ଏମିତି ଇନ୍ଦିରା ଗାନ୍ଧୀ ହୋଇପାରେ ନାହିଁ।”
ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଆୟର୍ନ ଲେଡି ଶ୍ରୀମତୀ ଇନ୍ଦିରା ଗାନ୍ଧୀ ସେହି ପ୍ରଧାନମନ୍ତ୍ରୀ ଥିଲେ ଯିଏ ଆମେରିକାର ଯୁଦ୍ଧ ଘୋଷଣା ପରେ ମଧ୍ୟ ପାକିସ୍ତାନକୁ ଦୁଇ ଖଣ୍ଡ କରି ଦେଇଥିଲେ। ତାଙ୍କ ପରି ଆଉ କେହି ହୋଇପାରିବେ ନାହିଁ।”