ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇ ଐତିହାସିକ ବିଜୟ ହାସଲ କଲା ଭାରତ

ରାୟପୁର,୨୪ା୧: ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୭ ବଲ୍‌, ୪ ଛକା, ୯ ଚୌକା ୮୨* ରନ୍‌) ଓ ଇଶନ କିଶନ(୩୨ ବଲ୍‌, ୧୧ ଚୌକା, ୪ ଛକା, ୭୬ ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ୟତମ ସଫଳ ବ୍ୟାଟର ଶୁବମ ଦୁବେ ୧୮ ବଲ୍‌ରେ ୩ ଛକା ଓ ୧ ଚୌକା ସହ ୩୬ ରନ୍‌କରି ଅପରାଜିତ ରହିଥିଲେ। ଭ୍ରମଣକାରୀ ଦଳ ଦ୍ୱାରା ଧାର୍ଯ୍ୟ ୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫.୨ ଓଭରରେ ମାତ୍ର ୩ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଏହି ବିଜୟ ଦ୍ୱାରା ଭାରତ ୫ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ରେ ୨-୦ରେ ଅଗ୍ରଣୀ ଲାଭ କରିଛି।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୨୦୯ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍‌ ଧାର୍ଯ୍ୟ କରିଥିଲା। ଡେଭନ କନ୍‌ଓ୍ବେ (୧୯ ରନ୍‌, ୩ ଚୌକା ଓ ୧ ଛକା) ଓ ଟିମ୍‌ ସାଇଫର୍ଟ (୨୪ ରନ୍‌, ୫ ଚୌକା) ୩.୧ ଓଭରରେ ୪୩ ରନ୍‌ର ବିସ୍ଫୋରକ ଆରମ୍ଭ ଦେଇଥିଲେ। ହେଲେ ଏହି ଦୁଇ ଓପ୍‌ନର କ୍ରମାଗତ ଓଭରରେ ଆଉଟ୍‌ ହୋଇଯାଇଥିଲେ। ରଚିନ ରବୀନ୍ଦ୍ର ଓ ଗ୍ଲେନ୍‌ ଫିଲିପ୍ସ ତୃତୀୟ ଉଇକେଟରେ ୨୭ ବଲରେ ଦ୍ରୁତ ୫୫ ରନ୍‌ ଯୋଡ଼ିଥିଲେ। ଏହାପରେ ଦଳ କ୍ରମାଗତ ବ୍ୟବଧାନରେ ରଚିନ(୪୪ ରନ୍‌, ୨ ଚୌକା ଓ ୪ ଛକା), ଫିଲିପ୍ସ(୧୯ ରନ୍‌, ୨ ଚୌକା ଓ ୧ ଛକା), ଡାରିଲ ମିଚେଲ(୧୮ ରନ୍‌, ୩ ଚୌକା) ଓ ମାର୍କ ଚାପ୍‌ମ୍ୟାନ(୧୦)ଙ୍କ ଉଇକେଟ ହରାଇଥିଲା। ଶେଷଆଡ଼କୁ ଅଧିନାୟକ ମିଚେଲ ସାଣ୍ଟନର ୨୭ ବଲ୍‌ରେ ଦ୍ରୁତ ୪୭(୬ ଚୌକା ଓ ୧ ଛକା) ଓ ଫକେସ ୮ ବଲ୍‌ରେ ୧୫(୨ ଚୌକା ଓ ୧ ଛକା) ରନ୍‌କରି ଅପରାଜିତ ରହିଥିଲେ। ଫଳରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୦୮ ରନ୍‌ କରିଥିଲା। ଭାରତ ପକ୍ଷରୁ କୁଲ୍‌ଦୀପ ଯାଦବ ୨ଟି ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily