ନୂଆଦିଲ୍ଲୀ,୧୭।୧୦: ଭାରତୀୟ ଡାକ ବିଭାଗ ନିଜର ଡେଲିଭରୀ ସେବାକୁ ଆହୁରି ଦ୍ରୁତ କରିବା ଦିଗରେ କାମ କରୁଛି। କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ଘୋଷଣା କରିଛନ୍ତି ଯେ, ଭାରତୀୟ ଡାକ ବିଭାଗ ନୂଆ ଫାଷ୍ଟ ଡେଲିଭରୀ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ମାଧ୍ୟମରେ ଡାକ ଓ ପାର୍ସଲ ୨୪ ଘଣ୍ଟା ଓ ୪୮ ଘଣ୍ଟା ମଧ୍ୟରେ ପହଞ୍ଚାଇବାର ଗ୍ୟାରେଣ୍ଟି ଦିଆଯିବ। ଅର୍ଥାତ ଏବେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ପାର୍ସଲ ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣଙ୍କ ପାର୍ସଲ ଏବେ କିଛି ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟରେ ପହଞ୍ଚିଯିବ।
ସିନ୍ଧିଆ କହିଛନ୍ତି ଯେ, ୨୪ ଘଣ୍ଟିଆ ସ୍ପିଡ୍ ପୋଷ୍ଟ ସେବାରେ ଯେକୌଣସି ଡାକ ଆଇଟମ ପରଦିନ ଘରେ ପହଞ୍ଚିଯିବ। ସେହିପରି ୪୮ ଘଣ୍ଟିଆ ସ୍ପିଡ୍ ପୋଷ୍ଟ ସେବାରେ ଦୁଇ ଦିନ ମଧ୍ୟରେ ପାର୍ସଲ ଡେଲିଭର ହେବ। ଏହା ଦ୍ୱାରା ଲୋକେ ନିଜ ଆବଶ୍ୟକତା ଅନୁଯାୟୀ ଦ୍ରୁତ କିମ୍ବା ଟିକେ ଧୀମା ଡେଲିଭରୀ ବାଛି ପାରିବେ। ଏହି ନୂଆ ସେବାଗୁଡ଼ିକ ଜାନୁଆରୀରୁ ଆରମ୍ଭ ହେବ।
ପାର୍ସଲ ଡେଲିଭରୀର ସ୍ପିଡ୍ ମଧ୍ୟ ଏବେ ଉନ୍ନତ ହେବ। ବର୍ତ୍ତମାନ ପାର୍ସଲ ପହଞ୍ଚିବାରେ ୩ ରୁ ୫ ଦିନ ଲାଗୁଛି, କିନ୍ତୁ ନୂଆ ସେବା ପରେ ପାର୍ସଲ ପରଦିନ ହିଁ ପହଞ୍ଚିଯିବ। ଏହା ବିଶେଷ କରି ସେହି ବ୍ୟବସାୟୀମାନଙ୍କ ପାଇଁ ଖୁସିର ଖବର, ଯେଉଁମାନେ ଶୀଘ୍ର ସାମଗ୍ରୀ ପଠାଇବା ଉପରେ ନିର୍ଭର କରନ୍ତି।
ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ଭାରତୀୟ ଡାକ ବିଭାଗକୁ ଏକ ଲାଭଜନକ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ବିଭାଗରେ ପରିଣତ କରିବା, ଯାହା ଉନ୍ନତ ସେବା ଯୋଗାଇବ। ଏଥିପାଇଁ ଡାକ ବିଭାଗ ନୂଆ ନୂଆ ସେବା ଓ ଉତ୍ପାଦ ଆରମ୍ଭ କରୁଛି। କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ, ମୋଟ ୮ଟି ନୂଆ ଉତ୍ପାଦ ଲଞ୍ଚ ହେବ, ଯେଉଁଥିରେ ଦ୍ରୁତ ଡେଲିଭରୀ ସେବା ମଧ୍ୟ ଅନ୍ତର୍ଭୁକ୍ତ। ଏହା ଦ୍ୱାରା ଗ୍ରାହକମାନଙ୍କୁ ଲାଭ ହେବା ସହ ଡାକ ବିଭାଗର ସେବାରେ ମଧ୍ୟ ଉନ୍ନତି ହେବ।