Categories: Home Leftଖେଳ

କାମ ଦେଲା ୪ ପେସର ଷ୍ଟ୍ରାଟେଜି

ନଟିଂହାମ,୪।୮: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ୪ ପେସରଙ୍କୁ ନ ଖେଳାଇ ଭୁଲ କରିଥିଲା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ। କିନ୍ତୁ ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ ଟେଷ୍ଟରେ ଭାରତୀୟ ଦଳ ସେଭଳି ଭୁଲ କରିନାହିଁ। ୪ ପେସରଙ୍କ ସହ ଖେଳିବା ଷ୍ଟ୍ରାଟେଜି ଟିମ୍‌ ଇଣ୍ଡିଆ ପାଇଁ କାମ ଦେଇଛି। ଭାରତୀୟ ପେସର ଘରୋଇ ଇଂଲଣ୍ଡକୁ ପ୍ରଥମ ଇନିଂସରେ ମାତ୍ର ୧୮୩ ରନ୍‌ରେ ରୋକି ଦେଇଛନ୍ତି।

ଅଧିନାୟକ ଜୋ ରୁଟ୍‌ଙ୍କ ଅର୍ଦ୍ଧଶତକକୁ ଛାଡ଼ିଦେଲେ ମ୍ୟାଚ୍‌ର ପ୍ରଥମ ଦିନ ଭାରତୀୟ ପେସରମାନେ ପ୍ରଭାବ ବିସ୍ତାର କରିଥିଲେ। ଯଶପ୍ରୀତ ବୁମରା ୪ ଓ ମହମ୍ମଦ ଶାମି ୩ ଲେଖାଏ ସଫଳତା ହାତେଇଥିବା ବେଳେ ଶାର୍ଦ୍ଦୁଳ ଠାକୁର ୨ଟି ଓ ମହମ୍ମଦ ସିରାଜ ଗୋଟିଏ ଉଇକେଟ ହାସଲ କରିଛନ୍ତି। ରୁଟ (୬୪)ଙ୍କ ବ୍ୟତୀତ ଜନ୍ନି ବେଆରଷ୍ଟୋ ୨୯, ଜ୍ୟାକ କ୍ରାଓ୍ବଲେ ୨୭ ଓ ସାମ କୁରାନ ୨୭ ରନ୍‌ କରିଥିଲେ। ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ।