ନୂଆଦିଲ୍ଲୀ,୨୯।୪: ପହଲଗାମ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ରହିଛି। ବର୍ଡରରେ ଦୁଇସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ତେବେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ମିଟିଂ କରିଛନ୍ତି। ଯେଉଁଥିରେ ୩ସେନାକୁ ଟାଇମ୍ ଓ ଟାର୍ଗେଟ ଫିକ୍ସ କରିବାକୁ ମୋଦି ଗ୍ରୀନ ସିଗନାଲ ଦେଇଛନ୍ତି।
ତେବେ ଏହାରି ଭିତରେ ଭାରତ ଓ ପାକିସ୍ତାନର ସୈନିକମାନଙ୍କ ଦରମା ସମ୍ପର୍କରେ ସମ୍ପ୍ରତି ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଚାଲିଛି। ୨୦୨୫ ମସିହାରେ ଉଭୟ ଦେଶର ସୈନିକମାନଙ୍କ ଦରମାରେ ନୀତିଗତ ଓ ଅର୍ଥନୈତିକ ପାର୍ଥକ୍ୟ ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା…
ଭାରତୀୟ ସେନାରେ ବିଭିନ୍ନ ପଦବୀରେ ଦରମାରେ ଉଲ୍ଲେଖନୀୟ ପାର୍ଥକ୍ୟ ରହିଛି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ X ରେ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଏକ ଭାରତୀୟ ସେପୋୟ (Sepoy) ମାସିକ ପ୍ରାୟ ୨୫,୦୦୦ ଟଙ୍କା ରୋଜଗାର କରୁଛନ୍ତି। ଏକ ମେଜରଙ୍କ ଦରମା ପ୍ରାୟ ୭୭,୦୦୦ ଟଙ୍କା ଏବଂ ଜେନେରାଲ ପଦବୀରେ ଥିବା ଅଧିକାରୀ ମାସିକ ୨,୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ଏହି ଦରମା ବ୍ୟତୀତ ଭାରତୀୟ ସୈନିକମାନେ ବିଭିନ୍ନ ଭତ୍ତା ଯଥା ଆବାସ, ଚିକିତ୍ସା, ଓ ଯାତାୟାତ ସୁବିଧା ମଧ୍ୟ ପାଇଥାନ୍ତି। ଭାରତର ଅର୍ଥନୀତି ଓ ସରକାରୀ ନୀତି ଏହି ଉଚ୍ଚ ଦରମାର ମୁଖ୍ୟ କାରଣ।
ଅନ୍ୟପକ୍ଷରେ, ପାକିସ୍ତାନୀ ସୈନିକଙ୍କ ଦରମା ଭାରତୀୟ ସୈନିକଙ୍କ ତୁଳନାରେ ଅପେକ୍ଷାକୃତ କମ। X ପୋଷ୍ଟ ଅନୁଯାୟୀ, ପାକିସ୍ତାନର ଏକ ସେପୋୟ ସମାନ ପଦବୀରେ ମାସିକ ୬,୦୭୨ ରୁ ୯,୧୦୮ ଟଙ୍କା (ଭାରତୀୟ ମୁଦ୍ରାରେ ରୂପାନ୍ତରିତ) ରୋଜଗାର କରୁଛନ୍ତି। ମେଜରଙ୍କ ଦରମା ୧୮,୨୧୬ ରୁ ୩୦,୩୬୦ ଟଙ୍କା ଏବଂ ଜେନେରାଲ ପଦବୀରେ ଥିବା ଅଧିକାରୀ ପ୍ରାୟ ୬୦,୭୨୦ ଟଙ୍କା ରୋଜଗାର କରୁଛନ୍ତି। ପାକିସ୍ତାନର ଅର୍ଥନୈତିକ ଅବସ୍ଥା ଓ ସୈନ୍ୟ ବଜେଟରେ ସୀମିତତା ଏହି କମ ଦରମାର ମୁଖ୍ୟ କାରଣ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।
ଭାରତର ପ୍ରତିରକ୍ଷା ବଜେଟ ୨୦୨୪ ମସିହାରେ ୮୬.୧ ବିଲିୟନ ଡଲାର ଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ବଜେଟ ମାତ୍ର ୧୦.୨ ବିଲିୟନ ଡଲାର ଥିଲା, ଯାହା ଭାରତର ବଜେଟର ପ୍ରାୟ ନଅ ଗୁଣ କମ। ଏହି ଆର୍ଥିକ ପାର୍ଥକ୍ୟ ସୈନିକମାନଙ୍କ ଦରମା, ତାଲିମ, ଓ ଅନ୍ୟାନ୍ୟ ସୁବିଧାରେ ପ୍ରଭାବ ପକାଇଛି। ଭାରତୀୟ ସୈନିକମାନଙ୍କୁ ଅଧିକ ଦରମା ସହିତ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଉନ୍ନତ ସୁବିଧା ମିଳୁଛି, ଯାହା ପାକିସ୍ତାନୀ ସୈନିକମାନଙ୍କ କ୍ଷେତ୍ରରେ ସୀମିତ।
ଭାରତୀୟ ସୈନିକଙ୍କ ଦରମା ପାକିସ୍ତାନୀ ସୈନିକଙ୍କ ତୁଳନାରେ ୨-୩ ଗୁଣ ଅଧିକ। ଏହା ଉଭୟ ଦେଶର ଅର୍ଥନୈତିକ ସ୍ଥିତି, ପ୍ରତିରକ୍ଷା ବଜେଟ, ଓ ସରକାରୀ ନୀତି ଉପରେ ର୍ନିଭର କରୁଛି।