ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନ ସୁପର ୭୫୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଷ୍ଟାଡିୟମର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଡେନମାର୍କର ଷ୍ଟାର ଖେଳାଳି ମିଆ ବ୍ଲିଚଫେଲ୍ଡ। ଖେଳ ପଡ଼ିଆର ଅପରିଷ୍କାର ପରିବେଶ ଏବଂ ଅସ୍ୱାସ୍ଥ୍ୟକର ସ୍ଥିତିକୁ ସେ ‘ଅପ୍ରଫେସନାଲ’ ବୋଲି ଦର୍ଶାଇଛନ୍ତି।
ମିଆ ବ୍ଲିଚଫେଲ୍ଡ ଅଭିଯୋଗ କରିଛନ୍ତି ଯେ, ୱାର୍ମ-ଅପ୍ କୋର୍ଟ ଭିତରେ ପକ୍ଷୀମାନେ ଉଡ଼ୁଛନ୍ତି ଏବଂ ସେଠାରେ ପକ୍ଷୀଙ୍କ ମଳ ପଡ଼ି ରହିଛି, ଯାହା ଖେଳାଳିଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ଏହାଛଡ଼ା ଷ୍ଟାଡିୟମ ଭିତରେ ପ୍ରବଳ ଶୀତ ଯୋଗୁଁ ଖେଳାଳିମାନଙ୍କୁ ଜ୍ୟାକେଟ୍, ଗ୍ଲୋଭସ୍ ଓ ଟୋପି ପିନ୍ଧି ପ୍ରସ୍ତୁତ ହେବାକୁ ପଡ଼ୁଛି। ସେ କହିଛନ୍ତି, “ଏଭଳି ପରିବେଶରେ ଜଣେ ପ୍ରଫେସନାଲ ଖେଳାଳି ଶରୀରକୁ ଫ୍ଲେକ୍ସିବଲ୍ କରିବା ବା ଖେଳ ପାଇଁ ପ୍ରସ୍ତୁତ ହେବା କଷ୍ଟକର।”
ଚଳିତ ବର୍ଷ ଶେଷ ଆଡ଼କୁ ଏହି ଭେନ୍ୟୁରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଅନୁଷ୍ଠିତ ହେବାକୁ ଥିବାରୁ, ବ୍ଲିଚଫେଲ୍ଡ ବିଶ୍ୱ ବ୍ୟାଡମିଣ୍ଟନ ସଂଘ (BWF) କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ଖେଳାଳିମାନେ ଆହତ କିମ୍ବା ଅସୁସ୍ଥ ହେବାର ଭୟ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
କେବଳ ମିଆ ନୁହଁନ୍ତି, କାନାଡାର ମିସେଲ୍ ଲି ଏବଂ ପୂର୍ବତନ ବିଶ୍ୱ ଚାମ୍ପିଅନ ରତଚାନୋକ୍ ଇଣ୍ଟାନନ ମଧ୍ୟ ଷ୍ଟାଡିୟମର ଅତ୍ୟଧିକ ଶୀତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଇଣ୍ଟାନନ କହିଛନ୍ତି ଯେ, କୋର୍ଟ ଭିତରେ ଖେଳାଳିଙ୍କୁ ଗରମ ରଖିବା ପାଇଁ ହିଟରର ଆବଶ୍ୟକତା ରହିଛି।