Categories: Home Middleଖେଳ

ଭାରତ ପାଇଁ ନିନ୍ଦା ଆଣିଲା ଦିଲ୍ଲୀ ବାୟୁ ପ୍ରଦୂଷଣ: ଇଣ୍ଡିଆ ଓପନରୁ ଓହରିଲେ ବିଶ୍ୱର ୨ ନମ୍ବର ଖେଳାଳି

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀରେ ଭୟାଭୟ ବାୟୁ ପ୍ରଦୂଷଣ ଏବେ ଭାରତ ସରକାରଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ପୂର୍ବରୁ ଏହାକୁ ନେଇ ଦିଲ୍ଲୀ ସରକାର ସମାଲୋଚନା ସହୁଥିବା ବେଳେ ଏବେ ଭାରତ ସରକାର ମଧ୍ୟ ଏହାର ସାମ୍ନା କରିଛନ୍ତି। ବାୟୁ ପ୍ରଦୂଷଣକୁ କାରଣ ଦର୍ଶାଇ ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଓପନରୁ ଓହରିଛନ୍ତି ବିଶ୍ୱର ୨ ନମ୍ବର ଖେଳାଳି।

ରିପୋର୍ଟ ଅନୁସାରେ ରାଜଧାନୀ ଦିଲ୍ଲୀର ଭୟାବହ ବାୟୁ ପ୍ରଦୂଷଣ ଏବଂ ଖେଳାଳିଙ୍କ ରହିବା ଓ ଅଭ୍ୟାସ ସ୍ଥଳରେ ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି କାରଣରୁ ବିଶ୍ୱର ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଡେନମାର୍କ ବ୍ୟାଡମିଣ୍ଟନ ତାରକା ଆଣ୍ଡର୍ସ ଆଣ୍ଟୋନସେନ୍ ଚଳିତ ‘ଇଣ୍ଡିଆ ଓପନ୍ ୨୦୨୬’ରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି।

ଆଣ୍ଟୋନସେନ୍ ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଦିଲ୍ଲୀର ଅତ୍ୟଧିକ ପ୍ରଦୂଷଣ କାରଣରୁ ଲଗାତାର ତୃତୀୟ ବର୍ଷ ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହାନ୍ତି। ତାଙ୍କ ମତରେ ଏଭଳି ପରିବେଶ ବ୍ୟାଡମିଣ୍ଟନ ଖେଳ ପାଇଁ ଆଦୌ ଉପଯୁକ୍ତ ନୁହେଁ। ଟୁର୍ଣ୍ଣାମେଣ୍ଟରୁ ଓହରିଯିବା କାରଣରୁ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (BWF) ତାଙ୍କ ଉପରେ ପ୍ରାୟ ୪.୧୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

ଅନ୍ୟତମ ଡେନମାର୍କ ଖେଳାଳି ମିଆ ବ୍ଲିଚଫେଲ୍ଟ ମଧ୍ୟ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମର ପରିବେଶକୁ ନେଇ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ୱାର୍ମ-ଅପ୍ ଏରିଆ ଅତ୍ୟନ୍ତ ଅପରିଷ୍କାର ଏବଂ କୋର୍ଟ ଉପରେ ପାରା ମଳ ପଡ଼ିଥିବାର ଦେଖିବାକୁ ମିଳିଛି।

ତେବେ ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ (BAI) ଏହି ଅଭିଯୋଗକୁ ଖଣ୍ଡନ କରିଛି। ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର କହିଛନ୍ତି ଯେ, ମୁଖ୍ୟ ଖେଳାଳି କୋର୍ଟ ସମ୍ପୂର୍ଣ୍ଣ ପରିଷ୍କାର ରହିଛି। ଖେଳାଳିମାନେ କେବଳ ଅଭ୍ୟାସ କୋର୍ଟର କିଛି ସମସ୍ୟା ବିଷୟରେ କହୁଛନ୍ତି, ଯାହାକୁ ସଂଶୋଧନ କରାଯାଉଛି।

ଆଗାମୀ ଅଗଷ୍ଟ ମାସରେ ଦିଲ୍ଲୀରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଅନୁଷ୍ଠିତ ହେବାକୁ ଥିବାବେଳେ, ଏଭଳି ଅଭିଯୋଗ ଆୟୋଜକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।